୭ ବର୍ଷର ଝିଅ କାନ୍ତି, ହାତିପଲକୁ ଦେଖାଇଲା ଚକମା : ୩ବର୍ଷର ଭଉଣୀକୁ ଉଦ୍ଧାର କଲା ଉନ୍ମତ୍ତ ହାତୀଙ୍କ କବଳରୁ, ପାଇବ ସାହସିକତା ପୁରସ୍କାର

Published By : Prameya-News7 Bureau | January 16, 2019 IST

ଉଦୟପୁର ୧୬/୧: ଏହି ଗଣତନ୍ତ୍ର ଦିବସ ଅବସରରେ ୭ଜଣ ଶିଶୁଙ୍କୁ ସାହସିକତା ପୁରସ୍କାରରେ ପୁରସ୍କୃତ କରାଯିବ। ଏହି ୭ଜଣ ଶିଶୁଙ୍କ ମଧ୍ୟରେ ଏପରି ଜଣେ ଶିଶୁ ରହିଛି ଯିଏ ନିଜ ଜୀବନ କଥା ଚିନ୍ତା ନକରି ଏପରି କରି ଦେଖାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଏହି ଛୋଟ ଝିଅଟିର ନାଁ କାନ୍ତି । ଏହି ଛୋଟ ଝିଅଟିର ଘର ଛତିଶଗଡ଼ ଜିଲ୍ଲାର ସରଗୁଜା ଜିଲ୍ଲାରେ। କାନ୍ତିର ବୟସ ମାତ୍ର ୭ବର୍ଷ ଏବଂ ସେ ଏହି ବୟସରେ ନିଜ ଜୀବନ ସହିତ ଖେଳି ୩ବର୍ଷର ଭଉଣୀକୁ ହାତୀଙ୍କ କବଳରୁ ରକ୍ଷା କରିଛନ୍ତି।

ସରଗୁଜା ଜିଲ୍ଲାର ଉଦୟପୁରର ମୋହନପୁର ଗାଁରେ ରହୁଥିବା ବିନୋଦ ସିଂହଙ୍କ ୭ବର୍ଷର ଝିଅ କାନ୍ତିଙ୍କ ଗାଁରେ ଜୁଲାଇ ୭ତାରିଖ ଦିନ ଜଙ୍ଗଲି ହାତୀମାନେ ପଶି ଉପଦ୍ରବ କରୁଥିଲେ। ଗାଁରେ ଫସଲ ନଷ୍ଟ କରିବା ପରେ ହାତୀଦଳ ଗାଁ ଆଡ଼କୁ ମୁହାଁଇଥିଲେ। ହାତୀ ପୂରା ଗାଁରେ ତାଣ୍ଡବ ଲୀଳା କରିଥିଲେ। ହାତୀଙ୍କ ଦଳ ଜଣଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିଲେ।

ହାତୀଙ୍କ ଭୟରେ ଖୋରା ରାମଙ୍କ ପରିବାରର ସମସ୍ତ ସଦସ୍ୟ ଘରେ ୩ବର୍ଷର ଝିଅ ସୋନିଆକୁ ଭୁଲି ଘରୁ ବାହାରି ଆସିଥିଲେ। କିଛି ଦୂର ଆସି ସୋନିଆକୁ ସମସ୍ତେ ନ ଦେଖି ଡରି ଯାଇଥିଲେ। କିନ୍ତୁ ଘରକୁ ଘେରି ରହିଥିବା ହାତୀ ଦଳଙ୍କ ପାଖକୁ ଯିବାକୁ କାହାର ସାହସ ନଥିଲା। ସମସ୍ତେ ନିରୀହ ଶିଶୁ ସୋନିଆ ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସେହି ସମୟରେ କିନ୍ତୁ କାନ୍ତି ବିଜୁଳି ବେଗରେ ଘର ଆଡ଼କୁ ଦୈାଡ଼ିଥିଲା। ହାତୀ ଦଳଙ୍କୁ ଅତିକ୍ରମ କରି ସେ ଘର ଭିତରକୁ ଯାଇଥିଲା ଏବଂ ସାନ ଭଉଣୀକୁ କାଖେଇ ହାତୀ ଦଳଙ୍କୁ ପୁଣିଥରେ ଅତିକ୍ରମ କରି ଭଲରେ ନେଇ ପହଞ୍ଚିଥିଲା। ଏହି ୭ବର୍ଷର ଝିଅର ସାହସକୁ ଦେଖି ପୋଲିସ୍ ଏହି ଶିଶୁକୁ ସାହସିକତା ପୁରସ୍କାର ଦେବାକୁ ଘୋଷଣା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.