ପାକ୍ ଟିମ୍ର ବଢ଼ିଲା ଅଡ଼ୁଆ, ପୁଣି ଜଣେ ଖେଳାଳି କରୋନା ପଜିଟିଭ୍: ଅନ୍ତିମ ଚେତାବନୀ ଦେଇସାରିଛି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ
28/11/2020 at 5:47 PM

ନୂଆଦିଲ୍ଲୀ ୨୮/୧୧: ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ୍ ଟିମ୍ର ଅସୁବିଧା କମ୍ ହେବାର ନାଁ ଧରୁନି। ଗୋଟିଏ ପରେ ଗୋଟିଏ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ପୂର୍ବରୁ ୬ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ପୁଣି ଜଣେ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ପାକ୍ ଟିମ୍ର ମୋଟ ୭ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି।
୧୪ ଦିନିଆ କ୍ବାରେଣ୍ଟାଇନ୍ ଅବଧିର ତୃତୀୟ ଦିନ ଅର୍ଥାତ ଶୁକ୍ରବାର ପୁଣି ଜଣେ କରୋନା ସଂକ୍ରମିତ ହୋଇଛନ୍ତି। ନ୍ୟାଜିଲ୍ୟାଣ୍ଡ ନିୟମ ଅନୁସାରେ କ୍ବାରେଣ୍ଟାଇନ୍ର ତୃତୀୟ ଓ ୧୨ ତମ ଦିନରେ କରୋନା ପରୀକ୍ଷା କରାଯାଏ। ନ୍ୟୁଜିଲ୍ୟାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଜର ମେଡିକାଲ୍ ରିପୋର୍ଟରେ ସପ୍ତମ ପାକ୍ ଖେଳାଳିଙ୍କ ନାଁ ଜାରି କରିଛି। ଏହା ପୂର୍ବରୁ ନ୍ୟଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ଓ ସରକାର ପାକିସ୍ତାନ କ୍ରିକେଟ ବୋର୍ଡକୁ ଅନ୍ତିମ ଚେତାବନୀ ଦେଇସାରିଛନ୍ତି। ପାକିସ୍ତାନ ଖେଳାଳିଙ୍କ ଉପରେ ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିବାର ଅଭିଯୋଗ ରହିଛି।
ପୂର୍ବରୁ ୬ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସର୍ପରାଜ, ମହମ୍ମଦ ଆବାସ, ଆବିଦ ଅଲ୍ଲି, ନଶୀମ ଶାହ, ରୋହେଲ୍ ନଜିର ଓ ଦାନୀଶ ଅଜିଜ। ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡରେ ୩ଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାର ଅଛି। ନ୍ୟାଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ କହିଛି, ଏଭଳି ପରିସ୍ଥିତିରେ ପାକିସ୍ତାନ ଟିମ୍ ଅଭ୍ୟାସ ମଧ୍ୟ କରିପାରିବ ନାହିଁ। ଏହା ସହ ପାକିସ୍ତାନ ଟିମ୍ର କିଛି ସଦସ୍ୟ କ୍ବାରେଣ୍ଟାଇନ୍ର ପ୍ରଥମ ଦିନରେ ହିଁ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ବୋର୍ଡ ସୂଚନା ପାଇଥିଲା।