କରୋନା ନେବ ୭ଲକ୍ଷ ଆମେରିକୀୟଙ୍କ ଜୀବନ : ଆମେରିକା କଂଗ୍ରେସର ରିପୋର୍ଟରେ ଭୟଙ୍କର ତଥ୍ୟ

Published By : Prameya-News7 Bureau | March 14, 2020 IST

ୱାଶିଂଟନ ୧୪/୩: କରୋନା ଯୋଗୁଁ ଆମେରିକାରେ ସ୍ଥିତି ବିଗୁଡୁଥିଲାବେଳେ ସେଠାକାର ପ୍ରଶାସନ କିନ୍ତୁ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ଏପରି ସ୍ଥିତିରେ ଦେଶରେ କରୋନା ଭାଇରସ ଯୋଗୁଁ ପ୍ରାୟ ୪୬% ଲୋକ ଅର୍ଥାତ୍‌ ୭୦ରୁ ୧୫୦ ନିୟୁତ ଲୋକ ସଂକ୍ରମିତ ହେବେ । ଏବେ କରୋନା ଜନିତ ମୃତ୍ୟୁହାରକୁ ବିଚାରକୁ ନେଲେ କେବଳ ଆମେରିକାରେ ୭ ଲକ୍ଷ ଲୋକ ଏହାଯୋଗୁଁ ପ୍ରାଣ ହରାଇବେ । ଆମେରିକୀୟ କଂଗ୍ରେସ ପାଇଁ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଏ ପ୍ରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ଏବଂ ଆମେରିକୀୟ କଂଗ୍ରେସକୁ ଏସମ୍ପର୍କରେ ଅବଗତ କରାଇଛନ୍ତି ।

ସେ କହିଛନ୍ତି ଯେ ଆମେରିକାରେ ବହୁ ଲୋକ କରୋନା ଯୋଗୁଁ ଆକ୍ରାନ୍ତ ହୋଇସାରିଲେଣି । କିନ୍ତୁ ସମ୍ବଳ ଅଭାବରୁ ସମସ୍ତଙ୍କୁ ଚିହ୍ନଟ କରାଯାଇପାରୁନାହିଁ । ଆଉ କିଛି ଦିନ ଭିତରେ ଏହା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିବ । ଆମେରିକାର ଓହିଓ ପ୍ରଦେଶର ପ୍ରଶାସନ କହିଛି ଯେ କେବଳ ଏହି ପ୍ରଦେଶରେ ୧ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି କିନ୍ତୁ ସେମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ । ଯଦି ଆମେରିକାର ୫୦ଟି ଯାକ ପ୍ରଦେଶରେ ଏଭଳି ସଂଖ୍ୟାକୁ ବିଚାରକୁ ନିଆଯିବ, ତାହା ଦେଶରେ ପରିସ୍ଥିତି କେତେ ଗମ୍ଭୀର ହେଲାଣି ତାହାକୁ ପ୍ରତିପାଦିତ କରିବ । ଆମେରିକାରେ ଏପର୍ଯ୍ୟନ୍ତ ୧୭୬୨ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଏବଂ ୪୧ ଜଣ ପ୍ରାଣ ହରାଇଛନ୍ତି ବୋଲି ବିଧିବଦ୍ଧ ଭାବେ କୁହାଯାଇଛି ।

କରୋନା ଦ୍ୱାରା ସଂକ୍ରମିତ ହେବାର ଭୟ ଯୋଗୁ ଆମେରିକାର ୱାଶିଂଟନ ଡିସି ସମେତ ଅନେକ ସହରର ରାସ୍ତାଘାଟ, ରେଳ ଷ୍ଟେସନ ଜନଶୂନ୍ୟ ହୋଇଯାଇଛି । ବିମାନବନ୍ଦରଗୁଡିକ ବି ଖାଁଖାଁ ଲାଗୁଛି । ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବିଭିନ୍ନ ସହରରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ପାଇଁ ସପିଙ୍ଗ୍‌ ମଲଗୁଡିକରେ ଭିଡ ଲଗାଉଛନ୍ତି । କାରଣ ସଂକ୍ରମଣ ରୋକିବା ପାଇଁ ଚୀନ୍‌ ଭଳି ଆମେରିକାରେ ବି ସହରଗୁଡିକୁ ଅଚଳ କରିଦିଆଯାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ୟୁରୋପୀୟ ଦେଶଗୁଡିକ ଉପରେ ଟ୍ରାଭେଲ ବ୍ୟାନ୍‌ ଲଗାଇଥିଲାବେଳେ ଆମେରିକା ଭିତରେ ବି ଏପ୍ରକାର ବ୍ୟାନ୍‌ ଲଗାଯାଇପାରେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.