ଇଟାଲୀରେ ସ୍ଥିତି ସାଙ୍ଘାତିକ, ୨୪ ଘଣ୍ଟାରେ କରୋନା ନେଲା ୭୯୩ ଜଣଙ୍କ ଜୀବନ
22/03/2020 at 6:21 PM

ଲସ ଏଞ୍ଜଲେସ୍ ୨୨।୦୩: ଚୀନରେ କରୋନା ଭାଇରସ୍ ସ୍ଥିତି ସୁଧୁରୁଥିବା କୁହାଯାଉଥିବା ବେଳେ ଇଟାଲୀରେ ପରିସ୍ଥିତି ସାଙ୍ଘାତିକ ହୋଇଛି। ଇଟାଲୀରେ ଗତ ୨୪ ଘଣ୍ଟାରେ କରୋନା ଭୂତାଣୁରେ ୭୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ପରି ଗତ ଏକ ମାସରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ୪୮୨୫ରେ ପହଞ୍ଚିଛି। ପର୍ଯ୍ୟାପ୍ତ ପରିମାରେ ଭେଣ୍ଟିଲେଟର ଓ ଆଇସିୟୁର ଅଭାବ କାରଣରୁ ଇଟାଲୀରେ ମୃତ୍ୟୁ ସଂଖ୍ୟା ବଢୁଥିବା କୁହାଯାଉଛି। ଫଳରେ ଇଟାଲୀରେ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମାମଲାରେ ଇଟାଲୀ ଚୀନଠୁ ମଧ୍ୟ ଟପି ଯାଇଛି ।
ସୂଚନା ଅନୁଯାୟୀ ଚୀନ ପରି ଇଟାଲୀ ମଧ୍ୟ ବହୁ ବିଳମ୍ବରେ କରୋନା ମୁକାବିଲାର ପ୍ରସ୍ତୁତି ଆରମ୍ଭ କରିଥିଲା। ତୃତୀୟ ପର୍ଯ୍ୟାୟ ଶେଷ ହେବା ବେଳକୁ ଇଟାଲୀରେ ସ୍ଥିତି ବିଗିଡିବା ଆରମ୍ଭ କରିଥିଲା। ସ୍ଥିତିର ମୁକାବିଲା ଲାଗି ଇଟାଲୀ ସରକାର ୧୦ ହଜାର ଭେଣ୍ଟିଲେଟର ମଗାଇଥିଲା। ମାତ୍ର ଚାରି ହଜାର ଭେଣ୍ଟିଲେଟର ଯୋଗାଡ କରିବାରେ ପ୍ରଶାସନ ସକ୍ଷମ ହୋଇଥିଲା।

କେବଳ ଏତିକି ନୁହଁ ଇଟାଲୀ ପାଖରେ ପ୍ରୋଟେକ୍ଟିଭ ହେଲଥ ଗିୟର ସିଷ୍ଟମ ନଥିବା କାରଣରୁ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଇଟାଲୀରେ ସ୍ଥିତି ଦୟନୀୟ ହୋଇ ପଡିଛି ଯେ, ସେଠାରେ ଶବ ନେବାକୁ କେହି ଆସୁ ନାହାନ୍ତି । ହସ୍ପିଟାଲରୁ ଶବ ବାହାର କରିବାକୁ ସେନାକୁ ଡକାଯାଉଛି।
ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ଵରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଅତିକ୍ରମ କରିଛି। ଅନେକ ଦେଶ ଲକଡାଉନ୍ ଘୋଷଣା କରିଛନ୍ତି। ଭାରତରେ କରୋନା ପ୍ରତିରୋଧ ଲାଗି ଜନତା କର୍ଫ୍ୟୁ ପାଳନ କରାଯାଇଛି।