କରୋନା ମୃତକଙ୍କ ସଂଖ୍ୟା ୭୯ ଛୁଇଁଲା, କାଲିଠୁ ଆଜି ମଧ୍ୟରେ ଯାଇଛି ୧୧ ଜଣଙ୍କ ଜୀବନ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ, ୦୫|୦୪:  ସାରା ଦେଶରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଦେଶରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ ପହଁଚିଥିବା ବେଳେ ମୃତକଙ୍କ ସଂଖ୍ୟା ୭୯ ଛୁଇଁଛି । ତେବେ ଗତକାଲିଠାରୁ ଆଜି ମଧ୍ୟରେ ୧୧ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲା । କେଉଁ ବୟସର ବ୍ୟକ୍ତି ବେଶୀ ସଂକ୍ରମିତ ହେଉଛନ୍ତି ସେନେଇ ସୂଚନା ଦେଇଥିଲା ।  ମନ୍ତ୍ରାଳୟର ତଥ୍ୟାନୁସାରେ, ସଂକ୍ରମିତଙ୍କ ମଧ୍ୟରୁ ଅର୍ଧାଧିକଙ୍କ ବୟସ ୪୦ ବର୍ଷରୁ କମ । ୪୨ ପ୍ରତିଶତ ସଂକ୍ରମିତଙ୍କ ବୟସ ହେଉଛି ୨୧ ରୁ ୪୦ । ସେହିପରି ୯ ପ୍ରତିଶତଙ୍କ ବୟସ ହେଉଛି ୨୦ରୁ କମ । ତେବେ ଦେଶରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସମସ୍ତଙ୍କ ବୟସ ୬୦ ବର୍ଷରୁ ଅଧିକ । ମୃତକମାନେ ବୃକକ, ହୃଦଜନିତ, ମଧୂମେହ, ଉଚ୍ଚ ରକ୍ତଚାପ ଆଦି ସମସ୍ୟା ଦେଇ ଗତି କରୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ ୦ରୁ ୬ ଓ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଭାଇରସ ଟାର୍ଗେଟ୍ କରିଥାଏ ।

{"id":249352,"width":749,"height":528,"sizeSlug":"large"}

ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ୍ ଅଗ୍ରଓ୍ୱାଲ କହିଥିଲେ ଯେ, ୩୩ ପ୍ରତିଶତ ସଂକ୍ରମିତଙ୍କ ସଂଖ୍ୟା ୪୧ରୁ ୬୦ ବର୍ଷ ମଧ୍ୟରେ । ୧୭ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି । ଦେଶରେ ଏବେବି ୫୮ ସଂକ୍ରମିତଙ୍କ ସ୍ଥିତି ସଙ୍ଗୀନ ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ରୁ ଅଧିକ । କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କୁ ସମସ୍ତ ପରାମର୍ଶ ମାନିବାକୁ ଅପିଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.