ସର୍ଭେରୁ ଖୁଲାସା: କରୋନାରୁ ଠିକ୍‌ ହେବାର ୬ ମାସ ପରେ ବି ୭୬ ପ୍ରତିଶତ ଉହାନବାସୀଙ୍କ ଶରୀରରେ ଦେଖାଯାଉଛି ଲକ୍ଷଣ

Published By : Prameya-News7 Bureau | January 12, 2021 IST

ବେଜିଂ ୧୨/୦୧: କରୋନା ଭାଇରସ୍‌ର ଭୟ ଏବେ ବି ବିଶ୍ବକୁ ଘାରୁଛି। ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଚୀନ ପାଇଁ ପୁଣିଥରେ ମୁଣ୍ଡବିଧାର କାରଣ ପାଲଟିଛି। ଚୀନରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ୬ ମାସ ପରେ ବି କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ଲକ୍ଷଣ ଅନୁସାରେ ଲୋକେ ଥକାପଣ, ମୁହଁ ବ୍ୟଥା, ନିଦ ନହେବା ନେଇ ଚିନ୍ତାରେ ରହୁଛନ୍ତି। ଉହାନରେ ଯେଉଁ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରେ ୭୬ ପ୍ରତିଶତ ଲୋକଙ୍କ ଶରୀରରେ ୬ ମାସ ପରେ ବି କରୋନା ଲକ୍ଷଣ ଦେଖାଯାଉଛି ।

ସିଏନଏନର ଏକ ରିପୋର୍ଟ ଅନୁସାରେ, ଏହି ଷ୍ଟଡି ପାଇଁ ଉହାନରେ ସଂକ୍ରମିତ ହୋଇଥିବା ୧୭୦୦ରୁ ଅଧିକ ଲୋକଙ୍କ ସହିତ ଆଲୋଚନା କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକେ ଏବେ ବି କରୋନା ଲକ୍ଷ୍ୟଣ ସହ ଲଢ଼େଇ କରୁଛନ୍ତି। ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୭୬ ପ୍ରତିଶତ ଲୋକ ଏମିତି ଥିଲେ ଯେ ସେମାନଙ୍କ ଶରୀରରେ ଠିକ୍‌ ହେବାର ୬ ମାସ ପରେ ବି କୌଣସି ନା କୌଣସି କରୋନା ଲକ୍ଷଣ ଦେଖାଯାଉଛି। ତେବେ ଏହି ପରୀକ୍ଷଣରୁ ଜଣାପଡ଼ିଲା ଯେ କରୋନାରୁ ଠିକ୍ ହେବା ପରେ ବି ଲୋକେ ଦୀର୍ଘ ସମୟ ଅସୁସ୍ଥ ହୋଇ ରହୁଛନ୍ତି।

ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୬୩ ପ୍ରତିଶତ ଲୋକ କିଛି କାମ କରିବା ପରେ ଥକାପଣ ଅନୁଭବ କରୁଥିବା ବେଳେ ୨୬ ପ୍ରତିଶତ ଲୋକ ନିଦ୍ରାହୀନତାର ଶିକାର ହୋଇଛନ୍ତି। ତେବେ ଏମାନେ କରୋନାରୁ ୬ ମାସ ପୂର୍ବରୁ ସୁସ୍ଥ ହୋଇଛନ୍ତି। ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ନହେବାକୁ ନେଇ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। ଏପରିକି ୨୩ ପ୍ରତିଶତ ଲୋକ କରୋନାରୁ ଠିକ୍‌ ହେବା ପରେ ବି ଏଂଗଜାଇଟ୍‌ ଓ ଡିପ୍ରେସନ୍‌ ଆଦିରେ ଶିକାର ହେଉଥିବା ମଧ୍ୟ ଜଣାପଡ଼ିଛି।

ଚୀନ-ଜାପାନ ଫ୍ରେଣ୍ଡସିପ୍‌ ହସ୍ପିଟାଲ ଆଣ୍ଡ କ୍ୟାପିଟାଲ୍‌ ମେଡିକାଲ ୟୁନିଭର୍ସିଟିର ଏହି ସର୍ଭେକୁ ଲିଡ କରୁଥିବା ଡାକ୍ତର ଓ୍ବିନ୍‌ କାଉ କହିଛନ୍ତି, କରୋନା ଏକ ନୂଆ ରୋଗ ହୋଇଥିବାରୁ ଶରୀରରେ ଏହାର ଦୀର୍ଘ ମିଆଦି ପ୍ରଭାବ ସମ୍ପର୍କରେ ପରୀକ୍ଷା ଚାଲିଛି। ଅଧିକରୁ ଅଧିକ ଲୋକ ଏଥିରୁ ଠିକ ହେବା ପରେ ବି କୌଣସି ନା କୌଣସି ଲକ୍ଷ୍ୟଣ ତାଙ୍କ ଶରୀରରେ ଦେଖାଯାଉଥିବା ନେଇ ସର୍ଭେରୁ ଜଣାପଡ଼ିଛି ବୋଲି କାଉ କହିଛନ୍ତି। ସେପଟେ ବୈଜ୍ଞାନିକମାନେ ଏଭଳି ଲକ୍ଷଣକୁ ଏବେ ‘ଲଙ୍ଗ୍‌ କୋଭିଡ୍‌ ସିମ୍ପଟମ୍‌’ ବୋଲି ନାମକରଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.