'କରୋନା ଯୋଗୁଁ ଜେଇଇ ପ୍ରଥମ ଦିନରେ ପଶ୍ଚିମବଙ୍ଗରେ ୭୫% ପରୀକ୍ଷାର୍ଥୀ ଦେଇ ପାରିଲେନି ପରୀକ୍ଷା'

Published By : Prameya-News7 Bureau | September 02, 2020 IST

କୋଲକାତା ୦୨।୦୯: କରୋନା କାଳରେ ଅନେକ ବିରୋଧ ପରେ ଦେଶରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜନ ହେଉଛି। ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ରାଜ୍ୟରେ ୭୫ ପ୍ରତିଶତ ପରୀକ୍ଷାର୍ଥୀ ମଙ୍ଗଳବାର ଆୟୋଜିତ ଜେଇଇ ପରୀକ୍ଷା ଦେଇ ପାରି ନଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଅନ୍ୟ ରାଜ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାରେ ସଫଳ ହୋଇ ପାରିଛନ୍ତି।

ସେ କହିଛନ୍ତି ରାଜ୍ୟରେ ତାଙ୍କ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ, ମାତ୍ର ପରୀକ୍ଷାର ପ୍ରଥମ ଦିନ ମଙ୍ଗଳବାର  ୪୬୫୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେବଳ ୧୧୬୭ ପରୀକ୍ଷା ଜେଇଇ ପରୀକ୍ଷା ଦେଇ ପାରିଛନ୍ତି। କରାେନା ଯୋଗୁଁ ଏମିତି ସ୍ଥିତି ଉପୁଜିଛି ଏବଂ କେନ୍ଦ୍ର ସରକାରଙ୍କୁ ଏହି ବିଷୟରେ ଗଭୀର ଭାବେ ଚିନ୍ତା କରିବାର ଥିଲା ବୋଲି ମମତା କହିଛନ୍ତି।

ପରୀକ୍ଷାର୍ଥୀମାନେ ଏବେ ବଡ ସମସ୍ୟା ଭିତରେ ଅଛନ୍ତି। ସେମାନେ ଜେଇଇ ପରୀକ୍ଷା ଦେବାରେ ସମର୍ଥ ହୋଇ ପାରି ନାହାନ୍ତି। ସେହି ପରି ଅନ୍ୟ ରାଜ୍ୟରେ ମଧ୍ୟ ପ୍ରାୟ ୫୦ ପ୍ରତିଶତରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଇ ପାରି ନାହାନ୍ତି। ଉଲ୍ଲେଖନୀୟ ନିକଟରେ ମୁଖ୍ୟମନ୍ତ୍ରୀ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଜେଇଇ ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.