ଜାମ୍ମୁକାଶ୍ମୀର ସ୍ବାଧୀନତା ଦିବସ ପାଳିତ : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଲେ ହାର୍ ମାନିନେଲେଣି ଆତଙ୍କବାଦୀ
15/08/2019 at 2:46 PM

ଶ୍ରୀନଗର ୧୫|୮: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁକାଶ୍ମୀରର ପୁର୍ନଗଠନ ନିଷ୍ପତ୍ତି ନିଆଯିବା ପରେ ଜାମ୍ମୁକାଶ୍ମୀରେ ପାଳିତ ହୋଇଛି ପ୍ରଥମ ସ୍ବାଧିନତା ଦିବସ । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସ୍ବାଧିନତା ଦିବସ ଅବସରରେ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ସେ ସୈନ୍ୟବାହିନୀର ପରେଡ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ସତ୍ୟପାଲ ମଲ୍ଲିକ କହିଥିଲେ ଯେ, ଭାରତୀୟ ସୈନ୍ୟବାହିନୀ ନିକଟରେ ଆତଙ୍କବାଦୀମାନେ ହାର୍ ମାନିନେଇଛନ୍ତି । ଧାରା ୩୭୦ ଉଚ୍ଛେଦ ନେଇ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଲୋକମାନେ ନିଜ ପରିଚୟକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ସରକାର କେବେ ହେଲେ ଆତଙ୍କବାଦକୁ ବରଦାସ୍ତ କରିବେନାହିଁ । ଭାରତୀୟ ସୈନ୍ୟବାହିନୀ ଆଗରେ ଆତଙ୍କବାଦୀମାନେ ହାର ମାନିନେଇଛନ୍ତି । ଜାମ୍ମୁକାଶ୍ମୀରରେ ଏବେ ପଥର ଫିଙ୍ଗାଳିଙ୍କ ଦୌରାତ୍ମ୍ୟ କେତେକ ମାତ୍ରାରେ କମ୍ ହୋଇଛି ।
ଏ ଭିତରେ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ରାଜ୍ୟକୁ ମିଳୁଥିବା ବିଶେଷ ପାହ୍ୟା ଶେଷ କରିବା ପାଇଁ ଏଠାରେ ପ୍ରତିବନ୍ଧକ ଲଗାଯାଇଛି । ଜାମ୍ମୁକାଶ୍ମୀରର ମୁଖ୍ୟ ସଚିବ ରୋହିତ କଂସଲଙ୍କ ଅନୁସାରେ ଶ୍ରୀନଗର ସହ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ପ୍ରତିବନ୍ଧକ କୋହଳ କରାଯାଇଛି । କାଶ୍ମୀର ଘାଟିରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କେତେକ ସ୍ଥାନରେ ପ୍ରତିବନ୍ଧକ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୫ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଶାନ୍ତି ବଜାୟ ରହିଛି । ଯେଉଁ କାରଣ ପାଇଁ କେତେକ ସ୍ଥାନରେ ଲାଗିଥିବା ପ୍ରତିବନ୍ଧକ କୋହଳ କରାଯାଇଛି ।