ମୃତ ଭାବି ବଡ ଭାଇକୁ ୨୦ ଘଣ୍ଟା ଯାଏଁ ଫ୍ରିଜର୍ରେ ରଖିଦେଲା ସାନ ଭାଇ, ବକ୍ସ ଖୋଲିବା ପରେ ବାହାରିଲେ ଜୀବନ୍ତ
14/10/2020 at 1:36 PM

ଚେନ୍ନାଇ ୧୪/୧୦ : ତାମିଲନାଡୁ ରାଜଧାନୀ ଚେନ୍ନାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ବୟସ୍କ ବ୍ୟକ୍ତିଙ୍କୁ ମୃତ ଭାବି ତାଙ୍କ ସମ୍ପର୍କୀୟ ଫ୍ରିଜର ବକ୍ସରେ ରଖିଦେଲେ, ଯେପରିକି ତାଙ୍କ ପରିବାର ଲୋକ ଆସିବା ଯାଏଁ ମୃତଦେହ ଖରାପ ନ ହୁଏ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା, ୨୦ ଘଣ୍ଟା ଯାଏଁ ଫ୍ରିଜରେ ରହିବା ସତ୍ତ୍ୱେ ମଧ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା। ଡାକ୍ତର ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି। ସେ ବଞ୍ଚିଥିବା ଜାଣିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁସାରେ, ମାମଲା ଚେନ୍ନାଇ କଦମପଟ୍ଟୀ ଅଞ୍ଚଳର। ୭୩ ବର୍ଷ ବୟସ୍କ ବାଲସୁବ୍ରମଣ୍ୟମ ନିଜର ୭୦ ବର୍ଷ ବୟସ୍କ ଭାଇ ଶ୍ରବଣଙ୍କ ସହିତ ରୁହନ୍ତି। ସୋମବାର ଦିନ ଶ୍ରବଣ ଫ୍ରିଜର ବକ୍ସ ଡେ଼ଲିଭରୀ କରୁଥିବା ଦୋକାନକୁ ଫୋନ କରି ଏକ ବକ୍ସ ମଗାଇଥିଲେ। ସେହି ଦିନ ସନ୍ଧ୍ୟା ୪ଟାରେ ବକ୍ସ ଡେଲିଭରୀ ହୋଇଥିଲା। ଦୋକାନର ଜଣେ କର୍ମଚାରୀ କହିଥିଲେ କାମ ଶେଷ ହେବାପରେ ଦୁଇ ଦିନ ପରେ ସେ ଫ୍ରିଜର ବକ୍ସ ନେଇଯିବେ। ଦୁଇ ଦିନ ପରେ ଯେତେବେଳେ ଦୋକାନ କର୍ମଚାରୀ ଫ୍ରିଜର ବକ୍ସ ନେବାକୁ ଆସିଲେ, ଫ୍ରିଜର ଭିତରେ ହଲଚଲ ହୋଇଥିଲା। ଭଲ ଭାବେ ଦେଖିବା ପରେ ମଣିଷ ହାତ ହଲୁଥିବାର ସେ ଦେଖିଥିଲେ। ଏହା ଦେଖିବା ପରେ ସେ ବାଲସୁବ୍ରମଣ୍ୟମଙ୍କୁ ଫ୍ରିଜରରୁ ବାହାର କରିଥିଲେ ଓ ହସ୍ପିଟାଲ ନେଇଯାଇଥିଲେ। ଡାକ୍ତର ତାଙ୍କୁ କିଛି ଘଣ୍ଟା ଯାଏଁ ଆଇସିୟୁରେ ରଖିଥିଲେ। ତେବେ ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଡାକ୍ତର କହିଛନ୍ତି।

ପୋଲିସ କହିବାନୁଯାୟୀ, ସୋମବାର ଦିନ ବାଲସୁବ୍ରମଣ୍ୟମ ବେହୋସ ହୋଇଯାଇଥିଲେ। ତାଙ୍କ ସାନ ଭାଇ ଭାବିଲେ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ନ ଆସିବା ଯାଏଁ ମୃତଦେହ ଖରାପ ହୋଇଯିବ ବୋଲି ସେ ଫ୍ରିଜର ବକ୍ସ ମଗାଇଥିଲେ। ପୋଲିସ କହିବାନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସାନ ଭାଇ ଶ୍ରବଣଙ୍କ ମାନସିକ ଅବସ୍ଥା ଠିକ ନାହିଁ। ତେବେ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ପଚରାଉଚୁରା କରାଯିବ ବୋଲି ପୋଲିସ କହିଛି।