Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟେ ସମୟରେ ଏହି ଅଭିନେତ୍ରୀଙ୍କ ନାଁରେ ହିଟ୍‌ ହେଉଥିଲା ହିନ୍ଦି ଫିଲ୍ମ, ଆଜି ବଞ୍ଚୁଛନ୍ତି ଏମିତି ଜୀବନ

13/09/2019 at 5:13 PM

ମୁମ୍ବାଇ୧୩|୯: ବଲିଉଡ ଏକ ଏମିତି ସ୍ଥାନ ଯେଉଁଠି କେବେ କଣ ହେବ ତାହା କେହି ଜାଣିନଥାନ୍ତି। କିଏ ଚିର ଦିନ ପାଇଁ ମନେ ରୁହେ ତ କିଏ ନିଜର ପରିଚୟ ତିଆରି କରିବାରେ ଅସଫଳ ହୁଏ। ଏମିତି ଅନେକ ବଡ ବଡ ଷ୍ଟାରଙ୍କୁ ମଧ୍ୟ ଭୁଲି ଯାଆନ୍ତି ଇଣ୍ଡଷ୍ଟ୍ରି ଲୋକେ।୬୦ ଓ ୭୦ ଦଶକର ଫିଲ୍ମରେ ନଟଖଟ ଅନ୍ଦାଜ ଓ ନିଆରା ସ୍ମାଇଲରେ ନଜର ଆସିଥିବା ଏହି ଅଭିନେତ୍ରୀଙ୍କ ବିଷୟରେ ପ୍ରାୟତଃ ଲୋକେ ଜାଣିଥିବେ। ଗୋଟେ ସମୟରେ ତାଙ୍କ ଚର୍ଚ୍ଚା ସମସ୍ତେ କରୁଥିଲେ। ସେ ହେଉଛନ୍ତି ଅଭିନେତ୍ରୀ ମୁମତାଜ। ଜୁନିୟର ଆର୍ଟିଷ୍ଟରୁ ବଲିଉଡ ଷ୍ଟାର ହେବାର ସ୍ବପ୍ନ ପୁରା କରିଥିଲେ ଏହି ଅଭିନେତ୍ରୀ। ତେବେ ୭୦ ଦଶକର ମୁମତାଜଙ୍କ ଜୀବନ କାହାଣୀ ବିଷୟରେ ଜାଣନ୍ତୁ।

୧୯୪୭ ମସିହା ଜୁଲାଇ ମାସ ୩୧ ତାରିଖ ମୁମ୍ବାଇରେ ଜନ୍ମ ହୋଇଥିଲେ ମୁମତାଜ। ତାଙ୍କ ମାଆ ବାପା ନାଜ ଓ ଅବଦୁଲ ସଲିମ ଅସ୍କରୀ ଇରାନୀରେ ରହୁଥିଲେ। ମୁମତାଜଙ୍କ ଜନ୍ମ ପରେ ସେମାନେ ମୁମ୍ବାଇରେ ରହୁଥିଲେ। ମୁମତାଜଙ୍କ ପ୍ରଥମ ଜନ୍ମଦିନ ଅବସରରେ ତାଙ୍କ ମାଆ ବାପାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରେ ସେ ତାଙ୍କ ମାଆଙ୍କ ସହ ରହୁଥିଲେ। ମୁମତାଜଙ୍କ ମାଆ ନାଜ ଓ ଖୁଡି ପ୍ରଥମରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ହେଲେ ଦୁଇ ଜଣ ଜୁନିୟର ଆର୍ଟିଷ୍ଟ ଥିଲେ। ଏଥିପାଇଁ ନିଜ ନିଜ ଝିଅଙ୍କର ଧ୍ୟାନ ରଖିପାରୁନଥିଲେ।  ମୁମତାଜ ନିଜ ଛୋଟ ଭଉଣୀ ସହ ଷ୍ଟୁଡିଓରୁ ଷ୍ଟୁଡିଓ ବୁଲନ୍ତି ଓ ଯେମିତି ଛୋଟମଟ ଭୂମିକାରେ କାମ ମିଳୁଥିଲା ତାହା କରୁଥିଲେ।

୧୨ ବର୍ଷ ବୟସରେ ଫିଲ୍ମ ସଂସ୍କାରରେ ଶିଶୁ କଳାକାର ଭାବେ ଅଭିନୟ କରି ନିଜ କ୍ୟାରିଅରର ଆରମ୍ଭ କରିଥିଲେ ମୁମତାଜ। ଏହା ପରେ ସେ ୟାସମିନ, ସ୍ତ୍ରୀ, ୱାହ କ୍ୟା ବାତ ହୈ, ମୈ ଶାଦି କରନେ ଚଲା, ଡାକ୍ଟର ବିଦ୍ୟା, ସେହରା, ରୁସ୍ତମ ସୌରଭ, ମୁଝେ ଜିନେ ଦୋ ଭଳି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୬୦ ମସିହାରେ ବଲିଉଡରେ ଦାରା ସିଂହଙ୍କ ଏଣ୍ଟ୍ରି ହୋଇଥିଲା। ଦାରା ସିଂହଙ୍କ ସହ ଫିଲ୍ମ ପରଦାରେ କୌଣସି ଅଭିନେତ୍ରୀ କାମ କରିବାକୁ ଡରୁଥିଲେ। ଏହା ଦ୍ବାରା ମୁମତାଜଙ୍କୁ ସବୁଠୁ ଅଧିକ ଫାଇଦା ହୋଇଥିଲା। ମୁମତାଜ ଦାରା ସିଂହଙ୍କ ସହ ପାଖାପାଖି ୧୬ଟି ଫିଲ୍ମରେ ଅଭିନୟ କରିଛନ୍ତି। ଏଥିମଧ୍ୟରୁ ୧୦ଟି ଫିଲ୍ମ ହିଟ୍‌ ହୋଇଥିଲା।

୧୯୬୩ ମସିହାରେ ଦାରା ସିଂହଙ୍କ ସହ ଆସିଥିବା ଫିଲ୍ମ ଗହରା ଦାଗରେ ମୁମତାଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଅନେକ ଷ୍ଟଣ୍ଟ ଫିଲ୍ମରେ କାମ କରିଥିଲେ। ଏଥିରେ ଅଭିନେତା ଭାବେ ମୁଖ୍ୟ ଭୂମିକାରେ ଦାରା ସିଂହ ଅଭିନୟ କରିଥିଲେ।  

ଦାରା ସିଂହଙ୍କ ସହ ଅଭିନୟ କରିବା ପରେ ମୁମ୍‌ତାଜଙ୍କ ଯୋଡି ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କ ସହ ଜମିଥିଲା। ୧୯୬୯ ମସିହାରେ ଫିଲ୍ମ ଦୋ ରାସ୍ତେରେ ମୁମ୍‌ତାଜ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ। ଏହା ପରେ ଧମାଲ ହୋଇଥିଲା। ଉଭୟ ଯେଉଁ ଫିଲ୍ମରେ ଏକା ସହ ଥାନ୍ତି ସେହି ଫିଲ୍ମ ହିଟ୍‌ ହୋଇଥାଏ। ମୁମତାଜଙ୍କୁ ଷ୍ଟଣ୍ଟ ପ୍ରେମରୁ କାଢି କୋମଳ ଓ ସୁନ୍ଦରୀ ଅଭିନେତ୍ରୀଙ୍କ ଫ୍ରେମ୍‌ରେ କାକା ଫିଟ୍‌ କରାଇଥିଲେ। ୧୫ଟି ଫିଲ୍ମରେ ମୁମତାଜ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଛନ୍ତି। ଏଥିମଧ୍ୟରୁ ୧୨ଟି ଫିଲ୍ମ ସୁପରହିଟ୍‌ ହୋଇଥିଲା।

ମୁମ୍‌ତାଜ ଜଣେ ଜୁନିୟର ଆର୍ଟିଷ୍ଟରୁ ଷ୍ଟାର ହେବାର ସ୍ବପ୍ନ ନିଜ ଦମ୍‌ରେ ପୁରା କରିଥିଲେ। ୧୯୬୦ ମସିହା ପରେ ମୁମ୍‌ତାଜ ଲଗାତାର ବକ୍ସ ଅଫିସ୍‌ରେ ହିଟ୍‌ ଫିଲ୍ମ ଦେଉଥିଲେ। ସେତେବେଳେ ସେ ସବୁଠୁ ଦାମୀ ଅଭିନେତ୍ରୀ ଭାବେ ପରିଚିତ ଥିଲେ। ସେହି ସମୟରେ ଗୋଟେ ଫିଲ୍ମ ପାଇଁ ମୁମତାଜଙ୍କୁ ୨.୫ ଲକ୍ଷ ଟଙ୍କା ମିଳୁଥିଲା।

ମୁମତାଜ ନିଜ ୧୫ ବର୍ଷ ଫିଲ୍ମ କ୍ୟାରିଅରରେ ୧୧୫ଟି ଫିଲ୍ମ କରିଛନ୍ତି। ଦାରା ସିଂହଙ୍କଠାରୁ ଆରମ୍ଭ କରି ଦିଲିପ କୁମାର ଭଳି ମହାନ କଳାକାରଙ୍କ ସହ କାମ କରିଛନ୍ତି ମୁମତାଜ। ଦେବାନନ୍ଦଙ୍କ ଫିଲ୍ମ ହରେ ରାମା ହରେ କୃଷ୍ଣା ମୁମତାଜଙ୍କ କ୍ୟାରିଅର ବହଳି ଦେଇଥିଲା। ୧୯୭୦ ମସିହାର ଫିଲ୍ମ ଖିଲୋନାରେ ଅଭିନୟ କରି ମୁମ୍‌ତାଜଙ୍କୁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଥିଲା।  ଏହି ଫିଲ୍ମରେ ସେ ସଂଜିବ କପୁରଙ୍କ ସହ ଅଭିନୟ କରିଥିଲେ।

ଫିଲ୍ମ ରାମ ଔର ଶ୍ୟାମ, ଆଦମୀ ଔର ଇନ୍‌ସାନ ଓ ବ୍ରହ୍ମଚାରୀ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀର ଆୱାର୍ଡ ଜିତିଥିଲେ।  ୧୯୯୬ ମସିହାରେ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଅକାଦମୀରେ ଲାଇଫଟାଇମ୍‌ ଏଚିଭମେଣ୍ଟ ଆୱାର୍ଡ ଓ ୨୦୦୮ ମସିହାରେ ଆଇଫା ପୁରସ୍କାରରେ ସମ୍ମିନିତ ହୋଇଥିଲେ ।

ବିବାହ ପୂର୍ବରୁ ତାଙ୍କ ନାଁ ସଂଜୟ ଖାନ, ଫିରୋଜ ଖାନ, ଦେବ ଆନନ୍ଦ ଭଳି କିଛି ଅଭିନେତାଙ୍କ ସହ ଯୋଡା ଯାଇଥିଲା। ୧୮ ବର୍ଷ ଥିବା ବେଳେ ମୁମତାଜଙ୍କୁ ଶମି କପୁର ପ୍ରପୋଜ କରିଥିଲେ। ସେହି ସମୟରେ ମୁମତାଜ ମଧ୍ୟ ଶମି କପୁରଙ୍କୁ ଭଲ ପାଉଥିଲେ। ଶମି ଚାହୁଁଥିଲେ ଯେ, ମୁମତାଜ ନିଜ ଫିଲ୍ମ କ୍ୟାରି୍ର ଛାଡି ତାଙ୍କୁ ବିବାହ କରନ୍ତୁ। ହେଲେ ମୁମତାଜ ମନା କରିଥିଲେ ଯେ, ସେ ନିଜ ପିଲ୍ମ କ୍ୟାରି୍ର ଚାଡିବେ ନାହିଁ।

ଫଳରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ୭୦ ଦଶକରେ ହଠାତ୍‌ ଅନେକ ନୂଆ ଅଭିନେତ୍ରୀ ଏଣ୍ଟ୍ରି କରିଲେ। ସେତେବେଳେ ମୁମତାଜଙ୍କ ସ୍ବପ୍ନ ସାକାର ହୋଇଯାଇଥିଲା ଓ ସେ ପରିବାର ଗଢିବାକୁ ଚାହୁଁଥିଲେ। ସେ ମୟୂରଙ୍କୁ ଭଲ ପାଇ ବସିଲେ। ଗୁଜାରାତୀ ବ୍ୟବସାୟୀ ମୟୂର ୱାଧବାନୀଙ୍କୁ ୧୯୭୪ ମସିହାରେ ବିବାହ କରିଥିଲେ ଓ ବ୍ରିଟେନ ଯାଇଥିଲେ।

୫୩ ବର୍ଷ ବୟସରେ ମୁମ୍‌ତାଜ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ଏବେ ସେ ରୋଗମୁକ୍ତ ହୋଇଯାଇଛନ୍ତି। ହେଲେ ତାଙ୍କୁ ଥାଇରୋଏଡ ସମ୍ବନ୍ଧୀୟ ସମସ୍ୟା ରହୁଛି।  ସେ ଦୁଇଟି ଝିଅଙ୍କ ମାଆ । ଝିଅ ନତାଶାଙ୍କ ବିବାହ ବଲିଉଡ ଅଭିନେତା ଫରଦିନ ଖାନଙ୍କ ସହ ୨୦୦୫ ମସିହାରେ ହୋଇଥିଲା। ୨୦୧୫ ମସିହାରେ ସାନ ଝିଅ ତାନ୍ୟାଙ୍କ ବିବାହ ଲଣ୍ଡନ ବ୍ୟବସାୟୀ ମାର୍କୋଙ୍କ ସହ ହୋଇଥିଲା।

ସୂଚନାୟୋଗ୍ୟ ଯେ, ମୁମତାଜଙ୍କର ସ୍ବାମୀଙ୍କ ସହ ଝଗଡା ହେବା ଓ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଖବର ଚର୍ଚ୍ଚାରେ ଥିଲା। ହେଲେ ଏହା ମିଛ ଥିଲା।  ମୁମତାଜ ଏଯାଏଁ ନିଜ ସ୍ବାମୀଙ୍କ ସହ ଅଛନ୍ତି ଓ ଖୁସିରେ ବଞ୍ଚୁଛନ୍ତି।

ବ୍ରହ୍ମଚାରୀ ଫିଲ୍ମର ଗୀତ ତେରେ ମେରେ ପ୍ୟାର କେ ଚର୍ଚ୍ଚେ ଓ ମୁମତାଜଙ୍କ ଶାଢୀ ରୂପ ଆଜି ଯାଏଁ ଦର୍ଶକ ଓ ଫିଲ୍ମ ଇଣ୍ଡଷ୍ଟ୍ରି ମନେ ରଖିଛନ୍ତି। ସେହି ସମୟର ଅଧିକାଂଶ ଅଭିନେତ୍ରୀ ବହୁତ ଲାଜ କରୁଥିଲେ ହେଲେ ମୁମତାଜଙ୍କ ନଟଖଟ ଅନ୍ଦାଜ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।

   Related Posts