ଖାଲି ଆଖିରେ ଅପଲକ ନୟନରେ ସୂର୍ଯ୍ୟଙ୍କୁ ଘଣ୍ଟାଏ ଯାଏଁ ଦେଖି ନ୍ୟାଶନାଲ ରେକର୍ଡ ସୃଷ୍ଟି କଲେ ୭୦ ବର୍ଷୀୟ ବୃଦ୍ଧ

Published By : Prameya-News7 Bureau | November 28, 2021 IST

ମଥୁରା ୨୮/୧୧ : ଆପଣ ଖାଲି ଆଖିରେ ପଲକ ନ ପକାଇ ସୂର୍ଯ୍ୟଙ୍କୁ ଘଣ୍ଟାଏ ଯାଏଁ ଦେଖିପାରିବେ କି ? ଅସମ୍ଭବ ଲାଗୁଥିବ। କିନ୍ତୁ ମଥୁରାରେ ଜଣେ ବୃଦ୍ଧ ଏହି କାରନାମା କରିଛନ୍ତି। ମଥୁରା ସେଲ୍ସ ଟ୍ୟାକ୍ସ ଡେପୁଟି କମିଶନର ପଦବୀରୁ ସେବା ନିବୃତ ହୋଇଥିବା ୭୦ ବର୍ଷୀୟ ଏମଏସ ବର୍ମା ଘଣ୍ଟାଏ ଯାଏଁ ସୂର୍ଯ୍ୟଙ୍କୁ ଦେଖି ରେକର୍ଡ ସୃଷ୍ଟି କରିଛନ୍ତି। ସେ ଅପଲକ ନୟନରେ ସୂର୍ଯ୍ୟଙ୍କୁ ଘଣ୍ଟାଏ ଦେଖିଲେ। ଏହାପରେ ବି ତାଙ୍କ ଆଖି ସାମାନ୍ୟ ଅଛି, ତାଙ୍କର କିଛି କ୍ଷତି ହୋଇନାହିଁ। ଜିଲ୍ଲା ହସ୍ପିଟାଲ ଡାକ୍ତର ସଚିନ ଶର୍ମା ତାଙ୍କ ଆଖି ଯାଞ୍ଚ କରିଛନ୍ତି।

ଏକ ଘଣ୍ଟା ପାଇଁ ସୂର୍ଯ୍ୟଙ୍କୁ ଦେଖିବାର ଏହି ରେକର୍ଡ ସମୟରେ ଗ୍ଲୋବାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଏବଂ ସରକାରୀ ଡାକ୍ତରଙ୍କ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ, ସାହିତ୍ୟିକ ଏବଂ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଏହି ଅବସରରେ ଏମଏସ ବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୭୦ ବର୍ଷ ବୟସରେ ସାଧାରଣତଃ ଲୋକଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଇଥାଏ, ଅନେକ ରୋଗ ମଧ୍ୟ ମାଡି ଆସିଥାଏ। କିନ୍ତୁ ଏମଏସ ବର୍ମା ଏହି ବୟସରେ ରେକର୍ଡ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ସେ ଗତ ୨୦ ବର୍ଷ ହେଲା ନିଜ ଗୁରୁଙ୍କ ପ୍ରେରଣାରେ ଏହି କାମ କରୁଛନ୍ତି। ପ୍ରଥମେ ସେ ଦୀପ ନିଆଁ ସହ ନଜର ମିଳାଇବା ଆରମ୍ଭ କରିଥିଲେ। ତାପରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା ଅଭ୍ୟାସ କଲେ। ଏବେ ସେ ଘଣ୍ଟାଏ ନୁହେଁ କିଛି ଘଣ୍ଟା ଯାଏଁ ପଲକ ନ ପକାଇ ସୂର୍ଯ୍ୟଙ୍କୁ ଦେଖି ପାରନ୍ତି। ରବିବାର ଦିନ ଉପସ୍ଥିତ ଥିବା ଟିମ ତାଙ୍କୁ ଘଣ୍ଟେ ପରେ ଅଟକାଇ ଦେଇଥିଲେ। ନହେଲେ ସେ ଆହୁରି କିଛି ଘଣ୍ଟା ଯାଏଁ ସୂର୍ଯ୍ୟଙ୍କୁ ଅନେଇ ରହିଥାନ୍ତେ।

ଏମଏସ ବର୍ମା କହିଛନ୍ତି ଯେ ନ୍ୟାଶନାଲ ରେକର୍ଡ ପରେ ଲୋକେ ତାଙ୍କୁ ଗିନିଜ ୱାର୍ଲଡ ରେକର୍ଡ ପାଇଁ ପ୍ରେରିତ କରୁଛନ୍ତି। ସେ ଚ୍ୟାଲେଞ୍ଜ କରିଛନ୍ତି ଯେ ପୃଥିବୀରେ ଯେକେହି ବି କେଉଁଠି ବି ତାଙ୍କ ସହ ମୁକାବିଲା କରିପାରିବ। ସେ ଏହି କ୍ରିୟାକୁ ଯୋଗର ତାନ୍ତ୍ରିକ କ୍ରିୟା ସହ ସମ୍ବନ୍ଧିତ ବୋଲି କହିଛନ୍ତି ଏବଂ ଭଗବାନ କୃଷ୍ଣଙ୍କ କୃପା ବୋଲି କହିଛନ୍ତି। ଏଥିପାଇଁ ବିଶ୍ୱରେ ମଥୁରାର ନାଁ ହେବ ବୋଲି ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.