ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ବିଜେଡିର ୭୦ ବିଧାୟକଙ୍କୁ ମିଳିସାରିଲାଣି ଗ୍ରୀନ୍ ସିଗ୍ନାଲ
7/03/2019 at 5:29 PM

ଭୁବନେଶ୍ବର ୭|୩ : ବିଜେଡିରେ ବଢୁଛି ଟିକେଟ ଆଶାୟୀଙ୍କ ସଂଖ୍ୟା । ନିର୍ବାଚନ ସମୟ ଯେତିକି ପାଖଉଛି, ଆଶାୟୀଙ୍କ ସ୍ବର ସେତିକି ଶାଣିତ ହେଉଛି । ଯେହେତୁ ବହୁ ବିଜେଡି ବିଧାୟକ ଓ ସାଂସଦଙ୍କ ଟିକେଟ କଟିବ ବୋଲି ବହୁ ଆଗରୁ ଆଲୋଚନା ହେଉଛି ସେଥିପାଇଁ ଆଶାୟୀ ମାନେ ସେମାନଙ୍କ ମନରକଥା ଖୋଲାଖୋଲି କହିବା ଆରମ୍ଭ କଲେଣି । ଏହି ନେତାଙ୍କ କଥା ଦଳର ହାଇକମାଣ୍ଡଙ୍କ ଚିନ୍ତା ବଢାଉଛି ।
ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କ ବୟାନ ବାଜି । ବିଜେଡି ଟିକେଟରେ ଲଢିବେ ଏବଂ ଯେଉଁ ସିଟ୍ ରେ ଚାହୁଁଛନ୍ତି ସେଇଠୁ ଲଢିବେ ଏଭଳି ଏହି ନେତାମାନଙ୍କ ଇଛା । ଏମିତିକି କିଛି ନେତା ପାଦେ ଆଗକୁ ଯାଇ କହୁଛନ୍ତି ଟିକେଟ ନମିଳିଲେ ବି ଲଢିବେ । ବିଜ୍ଞପ୍ତି ପ୍ରକାଶ ପାଇବାକୁ ଆଉ ମାତ୍ର ୨-୩ ଦିନ ଥିବାବେଳେ ବିଜେଡିରେ ଆଶାୟୀଙ୍କ ଭିଡ ଭିତରୁ ଏସବୁ ନେତାଙ୍କ ସ୍ବର ଦଳ ପାଇଂ ମୁଣ୍ଡବ୍ୟଥା ହେବାକୁ ଯାଉଛି । କିଛି ନିର୍ବାଚନ ମଣ୍ଡଳୀ ଛାଡିଦେଲେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ତାଲିକା ଏକାଧିକ ଥିବାରୁ ସମସ୍ତେ ନିଜନିଜ ସ୍ତରରେ ଲବି ଆରମ୍ଭ କରିଦେଇଛନ୍ତି । ଯେହେତୁ ଶଙ୍ଖ ଚିହ୍ନ ଟିକେଟ ହିଁ ଜିତିବାର ସବୁଠୁ ବଡ ରାସ୍ତା ବୋଲି ନେତାଏ ଧରି ନେଇଛନ୍ତି ସେଥିପାଇଁ ଏଭଳି ପ୍ରତିଯୋଗିତା ଆରମ୍ଭ ହୋଇଛି ।
୨୦୧୯ ନିର୍ବାଚନ ବିଜେଡି ପାଇଁ କିଛି କମ୍ ଚ୍ୟାଲେଞ୍ଜ ହେବନି । ଯେହେତୁ ଦଳ ଲଗାତର ୪ଥର କ୍ଷମତାରେ ରହିଲାଣି ସେଥିପାଇଁ ସରକାରୀ ବିରୋଧି ହାଓାକୁ ଅଟକାଇବା ଦଳ ପାଇଁ ପ୍ରାଥମିକତା ହେବ । ସେ ଦୃଷ୍ଟିରୁ ବିଜେଡିରେ ଏଥର ବହୁ ବିଧାୟକଙ୍କ ଟିକେଟ କଟିବ ବୋଲି ସ୍ପଷ୍ଟ ହେଉଛି । ଏହାକୁ ଦେଖି କିଛି ଆଶାୟୀ ଖୋଲାଖୋଲି ନିଜର ମନକଥା ପ୍ରକାଶ କରିବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଏକଥା ଶୁଣା ଯାଉଛି ପାଖାପାଖି ୭୦ ବିଧାୟକଙ୍କୁ ୨୦୧୯ ନିର୍ବାଚନ ପାଇଁ ଗ୍ରୀନ ସିଗନାଲ ଦିଆ ସରିଛି । ବାକି ଯେଉଁ ନେତାଙ୍କ ନାଁ ତାଲିକାରୁ ବାଦ୍ ପଡିବ ବୋଲି ସାମ୍ନାକୁ ଆସୁଛି ସେସବୁ ନିର୍ବାଚନ ମଣ୍ଡଳୀରେ ଭିନ୍ନ ସ୍ବର ଉଠୁଛି । ଏମିତି କି କିଛି ଆଗ ଧାଡିର ନେତା ବି ଏବେ କନଫ୍ୟୁଜନରେ ଅଛନ୍ତି ।
କେବଳ ବିଜେଡି ନୁହେଁ ବିଜେପି ଓ କଂଗ୍ରେସରେ ମଧ୍ୟ ଏଭଳି ଛକାପଞ୍ଛା ଜାରି ରହିଛି । ଟିକେଟ ବଣ୍ଟନ ସମୟ ଯେତିକି ପାଖେଇବ ସବୁଦଳର ନିରାଶ ଆଶାୟୀ ନେତାଙ୍କ ସ୍ବର ବି ସେତିକି ଫୁଟି ବାହାରିବ ।