ଥମୁନି ଶିଶୁ କନ୍ୟା ଅପହରଣ, ନୟାଗଡ ପରେ ଏବେ ଜଳେଶ୍ଵରରୁ ୭ ବର୍ଷର ଝିଅକୁ ଉଠାଇନେଲେ, ଦୁଇ ଦିନ ପରେ ବି ଟେର୍ ପାଉନି ପୋଲିସ

Published By : Prameya-News7 Bureau | December 13, 2020 IST

ଜଳେଶ୍ଵର  ୧୩।୧୨: କିଛି ଦିନ ହେବ ରାଜ୍ୟରେ ଶିଶୁ କନ୍ୟା ଅପହରଣ ଘଟଣା ବଢିବାରେ ଲାଗିଛି। ନିଖୋଜ ଶିଶୁଙ୍କୁ ଖୋଜିବାରେ ପୋଲିସ ଅଦ୍ୟାବଧି ବିଫଳ ହୋଇଛି। ଓଡ଼ିଶାରେ  ପରୀ ନିଖୋଜ ଘଟଣା  ବେଶ  ଚର୍ଚ୍ଚା ଧରିଥିବା ବେଳେ ବାଲେଶ୍ଵର ବାଲିଆପାଳ ଅଞ୍ଚଳରେ ପୁଣି ଜଣେ ଶିଶୁ କନ୍ୟା ନିଖୋଜ। ବାଲିଆପାଳ ଥାନା ଜମ୍ଭୀରାଇ ଗ୍ରାମର ସାତ ବର୍ଷର  ଶିଶୁ କନ୍ୟା ଗତ ଶୁକ୍ରବାର  ସକାଳ  ନଅ ଟାରୁ  ନିଖୋଜ। ହେଲେ ଘଟଣାକୁ ୪୮ ଘଣ୍ଟା ବିତି ଯାଇଥିଲେ ବି ପୋଲିସ ଶିଶୁର କୌଣସି ଖୋଜ ଖବର ପାଇ ପାରି ନାହିଁ। ଶିଶୁ କନ୍ୟାର ନାମ  ବିଷ୍ଣୁପ୍ରିୟା ପାତ୍ର  ଡାକ ନାଆ ନେଉଳି । ବାପାଙ୍କ ନାମ  ବଳରାମ ପାତ୍ର।

ନେଉଳି  ନିଜ ଘର  ଜମ୍ଭୀରାଇ ପଞ୍ଚାୟତର  ସୁନ୍ଦର କୋଇଲି ଗାଁରେ  ହୋଇ ଥିବା ବେଳେ  ସେ ଅଧ କିମି ଦୂର ସ୍ଥିତ ଜମ୍ଭୀରାଇ ଗାଁରେ   ମାମୁଁ ଘରେ  ରହୁଥିଲା । ଗତ  ୧୧ ତାରିଖରେ  ସେ  ନିଜ ଘରୁ  ନଅଟା ସମୟରେ ବାହାରି ମାମୁ ଘରେ  ପହଞ୍ଚି  ଆଈକୁ  ଖୋଜିଥିଲ।।  ଆଈକୁ  ନ ପାଇ  ରାସ୍ତା ଉପରକୁ  ବାହାରି ଆସିଥିଲା। ସେଦିନ  ଦକ୍ଷିଣ ବାଲିଆ ପାଳ  ଅଞ୍ଚଳର ଜମ୍ଭୀରାଇ ସହିତ  ଛଅଟି ପଂଚାୟତର ଲୋକେ  ପେଟ୍ରୋ କେମିକାଲ ପ୍ଲାଣ୍ଟ ସ୍ଥାପନ  ବିରୋଧରେ  ୨୫ କିମି ମାନବ ଶୃଙ୍ଖଳ କରିଥିଲେ । ସମସ୍ତେ  ଯେ ଯାହାର କାମରେ  ବ୍ୟସ୍ତ ଥିଲେ ।

ସନ୍ଧ୍ୟା ସମୟରେ ମାକୁ  ନେଉଳିର  କଥା ମନେ ପଡିଲା। ମାଆ  ନେଉଳିର  ମାମୁଁଙ୍କୁ  ପଚାରିବା ପରେ  ନେଉଳି ନିଖୋଜ ବୋଲି ଜଣା ପଡ଼ିଥିଲା । ଗତ କାଲି  ଗ୍ରାମର  ବହୁ ଲୋକ ଡାକବାଜି ଯନ୍ତ୍ରରେ  ନେଉଳି ନିଖୋଜ ବିଷୟରେ  ଆଠ ଦଶଟି  ପଞ୍ଚାୟତରେ  ପ୍ରଚାର  କରିଥିଲେ  ମଧ୍ୟ  ଆଜି  ଯାଏ  ନେଉଳିର  ସନ୍ଧାନ ମିଳି ନ ପାରିବାରୁ  ପରିବାର  ତରଫରୂ  ବାଲିଆ ପାଳ ଥାନାରେ  ନିଖୋଜ  ଅଭିଯୋଗ  କରାଯାଇଛି । ପୋଲିସ  ଅନୁସନ୍ଧାନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.