ନବୀନ ନିବାସରେ ଘମାଘୋଟ କସରତ: ଲୋକସଭା ପାଇଁ ଏମାନେ ବିଜେଡିର ୭ଜଣ ମହିଳା ପ୍ରାର୍ଥୀ !

Published By : Prameya-News7 Bureau | March 11, 2019 IST

ଲୋକସଭା ସିଟକୁ ନେଇ ସିରିୟସ ବିଜେଡି । ୨୦୧୪ରେ ୨୧ ସିଟ୍ ରୁ ୨୦ ସିଟ୍ ଜିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ଦଳ । ଏଥର ତାକୁ କିଭଳି ଦୋହରାଯିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଯେହେତୁ ଲୋକସଭାରେ ଦଳ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ ବୋଲି ନବୀନ ଘୋଷଣା କରିଛନ୍ତି ତାପାଇଁ ବଡ କସରତ ଚାଲିଛି ଦଳ ଭିତରେ । ଆଜି କିଛି ସାଂସଦ ଓ ମହିଳା ନେତ୍ରୀଙ୍କୁ ଡାକି ନବୀନ ନିବାସରେ ବସିଛି ଘନଘନ ବୈଠକ । କାହାର ଟିକେଟ କଟିବ ଏବଂ କିଏ ନୂଆ ମୁହଁ ଭାବେ ଉଭାହେବ, ତାକୁନେଇ ଆରମ୍ଭ ହୋଇଛି ରଣନୀତି । ….

{"id":92654}

ବିଜେଡିରେ ଲୋକସଭା ଟିକେଟ କସରତ । ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ନିର୍ବାଚନ ଲଢାଇବ ବୋଲି ନବୀନ ଘୋଷଣା କରିବା ପରେ ଦଳ ଭିତରେ ନୂଆ ସମୀକରଣ ଏବଂ ନୂଆ ଚେହେରାଙ୍କୁ ନେଇ ଚର୍ଚ୍ଚା । ଆଜି ସକାଳୁ ନବୀନ ନିବାସର ଚିତ୍ର ବି ଠିକ୍ ଏମିତି କିଛି ବୟାନ କରିଥିଲା । ବିଜେଡିର କିଛି ସାଂସଦ ସକାଳୁ ନବୀନ ନିବାସରେ ପହଁଚିଥିଲେ । ସେମାନଙ୍କ ଭିତରେ ଥିଲେ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ, ସାଂସଦ ରୀତା ତରେଇ, ସାଂସଦ ଅର୍କ କେଶରୀ ଦେଓ, ସାଂସଦ ପ୍ରଭାସ ସିଂ ପ୍ରମୁଖ ।

{"id":92655}

ଏମାନଙ୍କ ଭିତରୁ ଦଳ କାହାକୁ ବି ସାଂସଦ ଭାବେ ରିପିଟ କରିନପାରେ ବୋଲି ଚର୍ଚା ହେଉଛି। କିନ୍ତୁ ଲୋକସଭା ନହେଲେ ବି ବିଧାନସଭା ମୈଦାନରେ ଏମାନଙ୍କ ଭିତରୁ କିଛି ନେତା ଲଢିବାକୁ ଆଗ୍ରହୀ । ସେଥିପାଇଁ ନବୀନଙ୍କୁ ଭେଟି ମନକଥା କହିଛନ୍ତି । ସାଂସଦ ରୀତା ତରେଇ, ଅର୍କ କେଶରୀ ଦେଓ, ପ୍ରଭାସ ସିଂଙ୍କ ବଡିଲାଙ୍ଗୁଏଜ୍ କହୁଛି ଯେ ସେମାନେ ଟିକେଟ ପାଇବା ନେଇ କନଫିଡେଣ୍ଟ ନୁହଁନ୍ତି ।ପ୍ରତ୍ୟୁଷାଙ୍କୁ ଦଳ ସାଂସଦ ନକଲେ ବି ବିଧାନସଭାରେ ଥଇଥାନ କଥା ଚିନ୍ତା କରୁଛି

{"id":92656}

 ଯେହେତୁ ୩୩ ପ୍ରତିଶତ ମହିଳାଙ୍କୁ ସାଂସଦ ଟିକେଟ ଦେବ ବିଜେଡି ସେଥିପାଇଁ ୨୧ ସିଟ୍ ରୁ କିଏ ସେହି ୭ ଚେହେରା ତାକୁନେଇ ଦଳ ଭିତରେ ଛକାପଞ୍ଛା । ଯାଜପୁରରୁ ପ୍ରମିଳା ମଲ୍ଲିକଙ୍କୁ ଦଳ ଲୋକସଭା ଟିକେଟ ଦେବ ବୋଲି ଚର୍ଚ୍ଚା ଜୋର । ସେ ବି ଆଜି ନବୀନ ନିବାସଯାଇ ନବୀନଙ୍କୁ ଭେଟିଛନ୍ତି । ପ୍ରମିଳାଙ୍କ ଇଛା ସେ ତାଙ୍କ ବିଧାନସଭା କ୍ଷେତ୍ର ବିଞ୍ଝାରପୁରରୁ ନିର୍ବାଚନ ଲଢିବେ । ଯଦି ଦଳ ଲୋକସଭା କଥା ଚିନ୍ତା କରେ ତାହାଲେ ସେ ଦଳ କଥା ମାନିବେ ବୋଲି କହିଛନ୍ତି । ସେପଟେ ବଲାଙ୍ଗିରରୁ କଳିକେଶଙ୍କ ସ୍ଥାନରେ ଶ୍ରୀମୟୀ ମିଶ୍ରଙ୍କୁ ସାଂସଦ ଟିକେଟ ଦେବାନେଇ ବି ଚର୍ଚ୍ଚା । ସେଥିପାଇଁ ତାଙ୍କୁ ବି ଆଜି ନବୀନ ନିବାସରୁ ଆସିଥିଲା ଡାକରା ।  ଯାହା ଲାଗୁଛି ବିଜେଡି ଲୋକସଭା ସିଟ୍ ଆଗୁଆ ଫାଇନାଲ କରିବା ଯୋଜନାରେ ଅଛି । ତାପରେ ବିଧାନସଭା ।

{"id":92657}

ଏବେ ବିଜେଡିର ୩ ମହିଳା ସାଂସଦ ଅଛନ୍ତି । ପ୍ରତ୍ୟୁଷା କନ୍ଧମାଳ ସାଂସଦ, ରୀତା ତରେଇ ଯାଜପୁର ସାଂସଦ ଏବଂ କେନ୍ଦୁଝରରୁ ସକୁନ୍ତଳା ଲାଗୁରୀ । ସେମାନଙ୍କୁ ଦଳ ରିପିଟ କରିବ କି ନାହିଁ ତାହା ଜଣାପଡୁନି । ସେପଟେ ସୁନ୍ଦରଗଡରୁ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ଯିଏ ବିଜେଡିରେ ମିଶିଛନ୍ତି ତାଙ୍କୁ ଲୋକସଭା ଲଢାଇବାକୁ ବିଜେଡି ଯୋଜନା କରାଯାଇଥିବା ବି ଚର୍ଚ୍ଚା  ହେଉଛି ।

{"id":92658}

ମୟୂରଭଞ୍ଜରୁ ସରସ୍ବତୀ ହେମ୍ବ୍ରମଙ୍କ କଥା ମଧ୍ୟ ଉଠିଛି । ଏପରିକି କୋରାପୁଟ ଆସନ ପାଇଁ ମଧ୍ୟ ମହିଳା ପ୍ରାର୍ଥୀଙ୍କ ସମ୍ପର୍କରେ ବିଚାର କରାଯାଉଛି । ବିଜେପିରୁ ଯେହେତୁ ଅପରାଜିତା ଷଡଙ୍ଗୀ ଭୁବନେଶ୍ବରରୁ ପ୍ରର୍ଥୀ ହେବେ ତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପ୍ରସନ୍ନ ପାଟ୍ଟଶାଣୀଙ୍କ ସ୍ଥାନରେ ଜଣେ ମହିଳା ପ୍ରାର୍ଥୀଙ୍କ ବାବଦରେ ଚିନ୍ତା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.