ହୀରାକୁଦରେ ଥିବା ହିଣ୍ଡାଲ୍‌କୋ କାରଖାନାର ବିଷାକ୍ତ ଗ୍ୟାସ୍‌ ଯୋଗୁଁ ୭ଟି ଗାଁ ପ୍ରଭାବିତ

Published By : Prameya-News7 Bureau | August 17, 2018 IST

ସମ୍ବଲପୁର ୧୭/୮ : ସମ୍ବଲପୁର ହୀରାକୁଦରେ ଥିବା ହିଣ୍ଡାଲ୍‌କୋ କାରଖାନାର ବିଷାକ୍ତ ଗ୍ୟାସ୍‌ ଯୋଗୁ ଗତ ୧୫ବର୍ଷ ହେଲା ୭ଟି ଗାଁରେ ଦେଢଶହ ଏକରରୁ ଅଧିକ ଜମିରେ ଫସଲ ହାନୀ ଘଟୁଛି। ପ୍ରତ୍ୟକବର୍ଷ ବର୍ଷାଦିନେ ଏହି ସମସ୍ୟାରେ ଚାଷୀମାନେ ସର୍ବସ୍ବାନ୍ତ ହେଉଥିବା ବେଳେ,ଜିଲ୍ଲାପ୍ରଶାସନର କମ୍ପାନୀ ପ୍ରୀତି ଚାଷୀଙ୍କୁ ମହଙ୍ଗା ପଡିଛି। ଏପରିକି ପ୍ରତିବର୍ଷ ଚାଷଜମିର ଫସଲ ପୋଡିଯିବା ପରେ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନାମକୁ ମାତ୍ର ସେ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଜମିରୁ ପାଣି ଓ ପୋଡିଯାଇଥିବା ଧାନଗଛର ନମୂନା ସଂଗ୍ରହ କରି ଆଣିବା ପରେ ରିପୋର୍ଟ ଦେଇଥାଏ। ହେଲେ ସେ ରିପୋର୍ଟ କମ୍ପାନୀ ସପକ୍ଷରେ ଯାଉଥିବାରୁ ଚାଷୀଙ୍କୁ କ୍ଷତିପୁରଣ ମଧ୍ୟ ମିଳେ ନାହିଁ। ସେପଟେ ବିଷାକ୍ତ ଘାଷ,ଲଟା ଖାଇ ଗାଇଗୋରୁ ସବୁ ମରିଯାଉଥିବା ଦେଖିବାକୁ ମିଳୁଛି। ଏବେ ଅନ୍ୟ ଉପୟା ନପାଇ ଚାଷୀମାନେ, ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଆଶ୍ରୟ ନେଇଛନ୍ତି। ସେପଟେ ଓୟୁଏଟିର ବିଶେଷଜ୍ଞ ଟିମ୍‌, ଏହି ଘଟଣା ଉପରେ ଗବେଷଣା କରି,ଫସଲ ନଷ୍ଟର ମୁଖ୍ୟ କାରଣ ହିଣ୍ଡାଲ୍‌କୋର ବିଷାକ୍ତ ଗ୍ୟାସ୍‌ ଓ ନିର୍ଗତ ପାଣି ବୋଲି ରିପୋର୍ଟ ଦେଇଛନ୍ତି। ଏବେ ଅପେକ୍ଷା ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ରିପୋର୍ଟକୁ। ନ୍ୟୁଜ୍‌ ସେଭେନ୍‌ର ଗ୍ରାଉଣ୍ଡ ଜିରୋ ରିପୋର୍ଟ................... ଏ ହେଉଛି, ଆଦିତ୍ୟ ବିର୍ଲା କାରଖାନାର, ସହଯୋଗୀ କାରଖାନା ହିଣ୍ଡୋଲ୍‌କୋ। ଏହି କାରଖାନା ହୀରାକୁଦ ଅଞ୍ଚଳରେ ପ୍ରତିଷ୍ଠା ହେବା ସହ, ସ୍ଥାନୀୟ ଅଞ୍ଚଳରୁ କୋଇଲା ଉତ୍ତୋଳନ କରି ବେଶ୍‌ ଲାଭ କମାଇଛି। ହେଲେ କାରଖାନା ପ୍ରତିଷ୍ଠା ହେବା ସମୟରେ,ସ୍ଥାନୀୟ ଲୋକମାନଙ୍କୁ ନାନା ପ୍ରଲୋଭନ ଦେଖାଇ ଜମି ଅଧି ଗ୍ରହଣ କରିବା ପରେ, ଏବେ କମ୍ପାନୀ ସେହି ବିସ୍ଥାପିତ ଲୋକଙ୍କ ଉପରେ ଦାଉ ସାଧୁଛି। କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଓ ଦୂଷିତ ପାଣି ନିକଟରେ ଥିବା ୭ଖଣ୍ଡ ଗାଁର ଶହଶହ ଏକର ଚାଷଜମିକୁ ବିଷାକ୍ତ କରିଦେଇଛି। ବିଗତ ୧୫ବର୍ଷ ହେଲା ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ, କମ୍ପାନୀ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ ନକରି, ଓଲଟା ସ୍ଥାନୀୟ ଚାଷୀମାନଙ୍କୁ ପୋଲିସ୍‌ ଓ ଗୁଣ୍ଡା ଲଗାଇ ଡରାଇ ଧମକାଇ ଜୁଲୁମ୍‌ କରିଚାଲିଛି। ମୁଖ୍ୟତଃ ବର୍ଷାଦିନେ ବର୍ଷା ହେବା ସମୟରେ, ହିଣ୍ଡାଲ୍‌କୋ କାରଖାନାରୁ ଚିମ୍‌ନିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍‌ ଉପରକୁ ନିର୍ଗତ ନହୋଇ, ବର୍ଷାପାଣି ସହ ଦ୍ରବିଭୁତ ହୋଇ ତଳକୁ ଆସିଯାଉଛି। ଫଳରେ ତାହା ନିକଟରେ ଥିବା ଚାଷଜମିରେ ମିଶୁଛି। ଏଥିସହ ଏହି ଗ୍ୟାସ୍‌ ଏବଂ ଅନ୍ୟାନ ବିଷାକ୍ତ ପଦାର୍ଥ ମିଶ୍ରିତ ପାଣି ଚାଷଜମିରେ ମିଶୁଥିବାରୁ ଧାନ ରୋଇବା ପରେ,ଗଛମରି ଯାଉଛି। ଚାଷୀମାନେ ମୁଣ୍ଡରେ ହାତ ଦେବା ଛଡା ଅନ୍ୟ ରାସ୍ତା ନାହିଁ। କାରଣ ହିଣ୍ଡାଲ୍‌କୋ କାରଖାନା କର୍ତ୍ତପକ୍ଷଙ୍କ ତାଗିଦ୍‌, କାରଖାନା ପରିସରକୁ ଅଭିଯୋଗ ପାଇଁ ଆସିଲେ ଗୁଳିମାରିଦେବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.