ବଲୁଚିସ୍ତାନରେ ପୁଣି ୭ ପାକିସ୍ତାନୀ ଯବାନଙ୍କୁ ହତ୍ୟା କଲେ ବିଦ୍ରୋହୀ, ଭାରତ ଉପରେ ଆରୋପ ଲଗାଇଲେ ଇମ୍ରାନ

Published By : Prameya-News7 Bureau | December 27, 2020 IST

ଇସଲାମାବାଦ ୨୭।୧୨: ବଲୁଚିସ୍ତାନରେ ପାକିସ୍ତାନୀ ସେନାଙ୍କ ସମସ୍ତ ପ୍ରୟାସ ପରେ ବି ବିଦ୍ରୋହୀଙ୍କ ଆକ୍ରମଣ ଲଗାତାର ଜାରି ରହିଛି। ପାକିସ୍ତାନୀ ସେନାଙ୍କ ଅତ୍ୟାଚାରରେ ଅତିଷ୍ଠ ସେଠାକାର ଲୋକେ ଅସ୍ତ୍ରଶସ୍ତ୍ର ଉଠାଇ ଇମ୍ରାନ ଖାନଙ୍କ ନେତୃତ୍ଵକୁ ଚ୍ୟାଲେଞ୍ଜ କରିଛନ୍ତି। ଶନିବାର ରାତିରେ ବଲୁଚ ବିଦ୍ରୋହୀ ପାକିସ୍ତାନୀ ସେନାର ଶିବିର ଉପରେ ଆକ୍ରମଣ କରି ସାତ ଯବାନଙ୍କୁ ହତ୍ୟା କରିଛନ୍ତି। ଏହା ପରେ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଇମ୍ରାନ ଖାନ ଏହି ଆକ୍ରମଣ ପାଇଁ ସିଧାସଳଖ ଭାରତକୁ ଦାୟୀ କରିଛନ୍ତି।

ପାକିସ୍ତାନୀ ସେନା ବୟାନ ଜାରି କରି କହିଛି ଯେ, ବଲୁଚିସ୍ତାନର ହରନାଇ ସ୍ଥିତ ଫ୍ରଣ୍ଟିୟର କୋରର ଶାରିଗ ପୋଷ୍ଟରେ ହୋଇଥିବା ଆକ୍ରମଣରେ ତାର ସାତ ଯବାନ ନିହତ ହୋଇଛନ୍ତି। ଏହା ପରେ ସ୍ଥାନୀୟ ଲୋକଙ୍କଠୁ ପ୍ରତିଶୋଧ ନେବା ପାଇଁ ଆତୁର ପାକିସ୍ତାନୀ ସେନା ପୂରା କ୍ଷେତ୍ରରେ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନୀ ସେନା ଏମିତି ଅଭିଯାନ ଜରିଆରେ ସେଠାକାର ସାଧାରଣ ଲୋକଙ୍କ ଘରେ ପଶି ସେମାନଙ୍କ ସହିତ କେବଳ ଅଭଦ୍ରତା କରିନଥାଏ ବରଂ ବିରୋଧ କରୁଥିବା ଲୋକଙ୍କୁ ଆତଙ୍କବାଦୀ ଦର୍ଶାଇ ଗୁଳି କରିଥାଏ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆକ୍ରମଣର ୧୦ ଘଣ୍ଟା ପରେ ନିଜର ବିଫଳତାକୁ ଲୁଚାଇବା ପାଇଁ ଆକ୍ରମଣ ପଛରେ ଭାରତର ହାତ ରହିଥିବା କହିଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ବିଳମ୍ଵିତ ରାତ୍ରିରେ ଫ୍ରଣ୍ଟିୟର ସେନା ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣରେ ୭ ଯବାନ ସହିଦ ନେଇ ଦୁଃଖିତ। ସେମାନଙ୍କ ପରିବାର ପ୍ରତି ମୋର ହାର୍ଦ୍ଦିକ ସମବେଦନା ଓ ପ୍ରାର୍ଥନା। ଆମର ଦେଶ ସାହାସୀ ସୈନିକଙ୍କ ସହିତ ଛିଡା ହୋଇଛି, ଯେଉଁମାନେ ଭାରତୀୟ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣର ସାମ୍ନା କରୁଛି।

କିଛି ମାସ ପୂର୍ବେ ବଲୁଚ ବିଦ୍ରୋହୀ ପଞ୍ଜଗୁର ଜିଲ୍ଲାରେ ସେନାର ଏକ ଗାଡିକୁ ନିଶାଣ କରିଥିଲେ। ଏଥିରେ ତିନି ପାକ୍ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କର୍ଣ୍ଣେଲ ସହିତ ୮ ଜଣ ଆହତ ହୋଇଥିଲେ। ବିଦ୍ରୋହୀ ଏବେ ନିଜର ଆକ୍ରମଣର ବିସ୍ତାର କରାଚି ସହିତ ପାକିସ୍ତାନର ଅନ୍ୟ ଅଞ୍ଚଳରେ ମଧ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.