Coronavirus ସନ୍ଦେହ, ଚୀନରୁ ଆସିଥିବା ଆଉ ୭ ଅଟକ
25/01/2020 at 8:28 PM

ନୂଆଦିଲ୍ଲୀ ୨୫।୧: ଚୀନରୁ ଫେରିଥିବା ଆଉ ୭ ଜଣଙ୍କୁ କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଚିକିତ୍ସକୀୟ ଅନୁଧ୍ୟାନରେ ରଖା ଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶନିବାର ଏହି ସୂଚନା ଦେଇଛନ୍ତି। ଦେଶକୁ ଆସିଥିବା ଲୋକେ ଏହି ଭୂତାଣୁ ସଂକ୍ରମିତ ହୋଇଛନ୍ତି ଏହାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। ତେବେ ଲକ୍ଷଣରୁ ଲୋକଙ୍କୁ ଅବଜରଭେସନରେ ରଖାଯାଉଥିବା ବେଳେ ସେମାନଙ୍କ ନମୁନା ପୁଣେ ଆଇସିଏମଆର-ଏନଆଇଭି ପରୀକ୍ଷାଗାରକୁ ପଠାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ଏହା ପୂର୍ବରୁ ୪ ଜଣ ଯାତ୍ରୀଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖା ଯାଇଥିଲା। ତେବେ ପରୀକ୍ଷା ନିରୀକ୍ଷା ପରେ ସେମାନଙ୍କ ଠାରେ ଏଭଳି ଭୂତାଣୁ ସଂକ୍ରମଣର ଆଶଙ୍କା ନିରାଧାର ପ୍ରମାଣିତ ହେବାରୁ ସେମାନଙ୍କୁ ଛାଡି ଦିଆଯାଇଛି। କରୋନା ଭାଇରସ୍ ବ୍ୟାପୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ୨୪ ଘଣ୍ଟିଆ କଲ ସେଣ୍ଟର ଆରମ୍ଭ କରାଯାଇଛି। କଲସେଣ୍ଟର ସେହିସବୁ ଯାତ୍ରୀଙ୍କ ଉପରେ ନଜର ରଖିବ ଯେଉଁମାନଙ୍କ ସମ୍ପର୍କରେ ବିଦେଶମନ୍ତ୍ରାଳୟ ସୂଚିତ କରିବେ। ସେହିପରି କେହି ଯଦି ରୋଗ ସମ୍ପର୍କରେ ସୂଚନା ଆବଶ୍ୟକ କରୁଥାନ୍ତି ତେବେ ସମ୍ବଦ୍ଧିତ ରୋଗ ସତର୍କତା କାର୍ଯ୍ୟକ୍ରମ ଅଧିକାରୀ ସୂଚନା ଦେବେ।

ଏହା ବ୍ୟତୀତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶରେ କରୋନା ଭାଇରସର ମୁକାବିଲା ଲାଗି ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ନେପାଳ ସୀମାରେ କରୋନା ଭାଇରସ ଯାଞ୍ଚଲାଗି ଯଥାସମ୍ଭବ ସହାୟତା ଲାଗି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏବେ କେରଳରେ ୭, ମୁମ୍ବାଇରେ ୨, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଜଣେ ଜଣେ ଲୋକ ଭୂତାଣୁ ସଂକ୍ରମଣ ସନ୍ଦେହରେ ଥିବାରୁ ସେମାନଙ୍କୁ ଡାକ୍ତରୀ ଯାଞ୍ଚ ପରେ ଏବେ ପର୍ଯ୍ୟବେକ୍ଷଣରେ ରଖା ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।