Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୭ ମାସର ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗିଦେଲା ପ୍ରେମିକ, ପଢନ୍ତୁ ପୂରା ଘଟଣା

ପ୍ରୟାଗରାଜ ୧୫।୯: ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲ୍ଲାରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମିକା ଜଣକ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏବଂ ସେ ତାଙ୍କ ପ୍ରେମିକଙ୍କ ଉପରେ ବିବାହ କରିବା ନେଇ ଚାପ ପକାଉଥିଲେ । ଫଳରେ ପ୍ରେମିକ ଜଣଙ୍କ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା କରିବା ପରେ ଟ୍ରେନ୍ ଲାଇନ୍ ରେ ଫିଙ୍ଗିଦେଇଥିଲେ । ଦୁଇ ଦିନ ପରେ ଯୁବତୀଙ୍କ ବାପା ମୃତଦେହକୁ ଚିହ୍ନଟ କରିବା ପରେ ଘଟଣା ପଦାକୁ ଆସିଥିଲା । ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ପ୍ରୟାଗରାଜ ଧୂମନଗଞ୍ଜ ଥାନା ବହ୍ମରୌଲି ଟ୍ରେନ୍ ଲାଇନ୍ କଡରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଶବ ଜବତ କରି ଚିହ୍ନଟ କରିବାରେ ଲାଗିଥିଲା । ମାତ୍ର ଶବଟିର ପରିଚୟ ମିଳିପାରିନଥିଲା । ପୋଲିସ ନିକଟସ୍ଥ ପୋଲିସ ଷ୍ଟେସନକୁ ଯୁବତୀଙ୍କ ଫଟୋ ପଠାଇ ଶବ ବ୍ୟବଚ୍ଛେଦ କରାଇଦେଲା । ପୋଷ୍ଟମର୍ଟମ ରିପୋର୍ଟରେ ଯୁବତୀ ଜଣଙ୍କ  ଗର୍ଭବତୀ ଥିବା ଜଣାପଡିଥିଲା । ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା । ସେହି ସମୟରେ ଯୁବତୀଙ୍କ ବାପା କୌଶମ୍ବି ଥାନାରେ ଏତଲା ଦେବାପାଇଁ ଆସିଥିଲେ । ତେବେ ମୃତ ଯୁବତୀଙ୍କ ଫଟୋ ତାଙ୍କ ବାପାଙ୍କୁ ଦେଖାଯିବା ପରେ ସେ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ ।

ପୋଲିସର ସୂଚନା ଅନୁସାରେ କୌଶମ୍ବି ଥାନା ଅବାନା ଆଲମ ଗାଁର ବଡେଲାଲ ପ୍ରଜାପତିଙ୍କ ଝିଅ ରିନାଙ୍କ ସହ ପଶ୍ଚିମ ଶରିରାର ଦଷ୍ୟୁପୁରା ଗାଁର ଜିତେନ୍ଦ୍ର କୁମାରଙ୍କ ପରିଚୟ ହୋଇଥିଲା । ଜିତେନ୍ଦ୍ର ତାଙ୍କ ଦାଦାଙ୍କ ଘରେ ରହୁଥିଲେ । ତାଙ୍କ ଦାଦା ରିନାଙ୍କ ପଡୋଶୀ ଥିଲେ । ଜିତେନ୍ଦ୍ର ସେଠାରେ ରହି ଟ୍ରାକ୍ଟର ଚଳାଉଥିଲେ । ସେଠାରେ ତାଙ୍କର ରିନାଙ୍କ ସହ ବନ୍ଧୁତ୍ବ ହୋଇଥିଲା । ଧିରେ ଧିରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଉଭୟଙ୍କ ସଂପର୍କ ସମୟରେ ଘର ଲୋକଙ୍କୁ ଜଣାପଡିଥିବା ପରେ ଉଭୟଙ୍କୁ ତାଗିଦ କରାଯାଇଥିଲା । ଫଳରେ ଜିତେନ୍ଦ୍ର ଦାଦାଙ୍କ ଘର ଛାଡି ଅନ୍ୟ ଏକ ଗାଁରେ ଭଡାଘର ନେଇ ରହିବାକୁ ଲାଗିଲେ ।

ରିନା ଜିତେନ୍ଦ୍ରକୁ ଭେଟିବା ପାଇଁ ସେଠାକୁ ଯିବାକୁ ଲାଗିଲେ । ଉଭୟଙ୍କ ମଧ୍ୟରେ ସଂପର୍କ ଅତି ନିବିଡ ହୋଇଥିଲା । ରିନା ଜିତେନ୍ଦ୍ରଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିଲେ । ମାତ୍ର ଘର ଲୋକଙ୍କ ତାଗିଦ ଯୋଗୁଁ ରିନାଙ୍କଠାରୁ ଜିତେନ୍ଦ୍ର ପିଛା ଛଡାଇବାକୁ ଚାହୁଁଥିଲେ । ସେପ୍ଟେମ୍ବର ୨ତାରିଖ ଦିନ ରିନା ଜିତେନ୍ଦ୍ରଙ୍କୁ ଭେଟିବାକୁ ଆସି କହିଥିଲେ ଯେ, ସେ ଗର୍ଭବତୀ ଅଛନ୍ତି । ଜିତେନ୍ଦ୍ର ଏବଂ ରିନାଙ୍କ ମଧ୍ୟରେ ଝଗଡା ହୋଇଥିଲା । ରିନା ଜିତେନ୍ଦ୍ରଙ୍କୁ କହିଥିଲେ ଯେ, ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ଥାନାକୁ ଯିବେ । ଏହାପରେ ଜିତେନ୍ଦ୍ର ରିନାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ସୁଯୋଗ ଦେଖି ରିନାଙ୍କୁ ଜିତେନ୍ଦ୍ର ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଟ୍ରେନ୍ ଲାଇନ୍ ରେ ଫିଙ୍ଗି ଦେଇଥିଲେ । ପୋଲିସ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଗିରଫ କରିଛି ।

274 Views

   ସମ୍ବନ୍ଧିତ ଖବର