ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ୭ ଲୋକସଭା ପ୍ରାର୍ଥୀ ଏବଂ ୮୪ ବିଧାନସଭା ପ୍ରାର୍ଥୀଙ୍କ ରହିଛି ଅପରାଧ ପୃଷ୍ଠଭୂମି

Published By : Prameya-News7 Bureau | April 17, 2019 IST

ଭୁବନେଶ୍ବର୧୭|୪:  ଆସନ୍ତା କାଲି ୫ ଲୋକସଭା ଓ ୩୫ ବିଧାନସଭାରେ ହେବ ମତଦାନ । ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମୋଟ ୨୭୯ ପ୍ରାର୍ଥୀ । ଏହି ପ୍ରାର୍ଥୀଙ୍କ ମଧ୍ୟରୁ କିଏ କେତେ ଧନୀ ଓ କାହା ବିରୋଧରେ କେତେ ଅପରାଧିକ ମାମଲା, ତାହାର ତଥ୍ୟ ଜାରି କରିଛନ୍ତି ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ ।

   ଏଡିଆର ରିପୋର୍ଟ ଅନୁଯାୟୀ , ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ୭୦ ଜଣ କୋଟିପତି ।  ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ସଂପତ୍ତିର ପରିମାଣ ୫ କୋଟିରୁ ବେଶି ଓ ୨୪ ଜଣଙ୍କ ସଂପତ୍ତି ୨ କୋଟିରୁ ୫ କୋଟି ଟଙ୍କା ମଧ୍ୟରେ । ବିଜୁ ଜନତାଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ବିଧାନସଭା ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ । ତାଙ୍କ ସଂପତ୍ତିର ପରିମାଣ ୬୩ କୋଟି । ତା ପଛକୁ ଆସୁଛନ୍ତି ବିଜେପି ନେତା କେ.ଭି. ସିଂଦେଓ ଏବଂ ତାଙ୍କ ପତ୍ନୀ ସଙ୍ଗୀତା ସିଂଦେଓ । ସେମାନଙ୍କ ସଂପତ୍ତିର ପରିମାଣ ୩୭ କୋଟି ଟଙ୍କା ଲେଖାଏଁ, ଅର୍ଥାତ୍ ସମାନ ସମାନ ।ଝାରସୁଗୁଡାରୁ ଲଢୁଥିବା ବିଜେଡି ପ୍ରାର୍ଥୀ ନବଦାସଙ୍କ ସଂପତ୍ତି ୩୩ କୋଟି, ପାଟନାଗଡ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ସଂପତ୍ତି ୩୧ କୋଟି, ଅର୍କେଶ ନାରାୟଣ ସଂହଦେଓଙ୍କର ୧୫ କୋଟି, ନନ୍ଦିନୀ ଦେବୀଙ୍କର ୧୧ କୋଟି ,ବିଜେପିର ବିଜୟ କୁମାରକ ସ୍ୱାଇଁଙ୍କର ୧୫ କୋଟି, ପୀତାମ୍ବର ଆଚାର୍ଯ୍ୟଙ୍କର ୭ କୋଟି ଟଙ୍କାର ସଂପତ୍ତି ରହିଛି । କୋଟିପତି ପ୍ରାର୍ଥୀଙ୍କ ସଂପତ୍ତିର ତାଲିକା ଲମ୍ବା ଥିବା ବେଳେ କନ୍ଧମାଳର ବିଏସପି ପ୍ରାର୍ଥୀ ଅମୀର ନାୟକଙ୍କର କୌଣସି ସଂପତ୍ତି ନାହିଁ ।

     ସେହିପରି ଏହି ପ୍ରାର୍ଥୀଙ୍କ ମଧ୍ୟରୁ ବିଭିନ୍ନ ଦଳର ୭ ଲୋକସଭା ପ୍ରାର୍ଥୀ ଏବଂ  ୮୪ ବିଧାନସଭା  ପ୍ରାର୍ଥୀ ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ରେକର୍ଡ ନେଇ ନାମାଙ୍କନ ପତ୍ରରେ ଦର୍ଶାଇଛନ୍ତି ।  ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ଆସିଛି । ଲୋକସଭା ଆସନରେ ଲଢୁଥିବା ମୋଟ ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୭ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା । ସେହିପରି ୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୪ ପ୍ରତିଶତ । ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ୨୧ ଜଣ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠ ଭୂମି ଥିବା ସେମାନଙ୍କ ସ୍ୱୀକାରୋକ୍ତିରୁ ଜଣାଯାଇଛି । ସେହିପରି କଂଗ୍ରେସର ୧୭ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ବିଜେଡିର  ୧୩ ଜଣ ପ୍ରାର୍ଥୀଙ୍କ ନାମରେ କ୍ରିମିନାଲ କେସ୍ ରହିଛି । ବିଏସପିର ୪ ଜଣ ପ୍ରାର୍ଥୀଙ୍କ ନାମରେ ବି ଅଛି ଅପରାଧିକ ମାମଲା  ।ତେବେ ଏମାନଙ୍କ ମଧ୍ୟରୁ ବିଜେପିର୧୮, କଂଗ୍ରେସର ୧୦, ବିଜେଡିର ୧୧ ଏବଂ ବିଏସ୍‌ପିର ୪ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା  ଥିବା ଦର୍ଶାଇଛନ୍ତି । ଏହି ସବୁ ମାମଲାରେ ଦୋଷୀଙ୍କୁ  ୫ ବର୍ଷ ବା ଅଧିକ ଜେଲଦଣ୍ଡ ବ୍ୟବସ୍ଥା ରହିଛି ।

{"id":104481,"width":593,"height":351}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.