ବ୍ୟାଙ୍କ୍ ବାହାରୁ ଲୁଟ୍, ୭ଲକ୍ଷ ଟଙ୍କା ଝାମ୍ପିନେଲେ ଦୁଇ ଲୁଟେରା
24/11/2020 at 5:00 PM

କଣ୍ଟାବାଞ୍ଝି ୨୪।୧୧: କଣ୍ଟାବାଞ୍ଝି ଆନ୍ଧ୍ରା ବ୍ୟାଙ୍କ ବାହାରୁ ଜଣେ ଗ୍ରାହକଙ୍କଠାରୁ ୭ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଏ ନେଇ କଣ୍ଟାବାଞ୍ଝି ଥାନାରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ସତ୍ୟଜିତ୍ କଣ୍ଡେଲକର ବ୍ୟାଙ୍କକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ ନାଏକ କଣ୍ଟାବାଞ୍ଝି-ବଲାଙ୍ଗିର ମୁଖ୍ୟ ରାସ୍ତାରେ ଥିବା ଆନ୍ଧ୍ରା ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେ ୭ ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରି ନିଜ ବୋଲେରୋରେ ବସୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ପଲସର ଗାଡିରେ ଆସି ଟଙ୍କା ରଖିଥିବା ବ୍ୟାଗକୁ ଝାମ୍ପି ନେଇଥିଲେ । ତେବେ ଦୁଇ ଲୁଟେରା ପୂର୍ବରୁ ବ୍ୟାଙ୍କରେ ଥିବା ବେଳେ ରାଜାରାମ ଟଙ୍କା ଉଠାଣ କରିଥିବା ଦେଖିଥିଲେ । ସେମାନେ ଲୁଟେରା ହୋଇଥିବା ରାଜାରାମ ସନ୍ଦେହ କରିନଥିଲେ । କାରଣ ସେମାନେ ମଧ୍ୟ ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିବା ରାଜାରାମ କହିଛନ୍ତି । ତେବେ ପୋଲିସ ବ୍ୟାଙ୍କର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ।