ମୁକ୍ତ ହେଲେ ଲିବିୟାରେ ଅପହୃତ ୭ ଭାରତୀୟ ନାଗରିକ, ତ୍ରିପୋଲି ଏୟାରପୋର୍ଟ ଯିବା ବେଳେ ହୋଇଥିଲା ଅପହରଣ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: ଲିବିୟାରେ ଅପହୃତ ୭ ଭାରତୀୟ ନାଗରିକଙ୍କୁ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ତେବେ ଭାରତ ସରକାରଙ୍କ ପକ୍ଷରୁ ଏନେଇ ଆଲୋଚନା ଓ ଲିବିୟା ସରକାରୀ ଅଧିକାରୀଙ୍କ ସାହାଯ୍ୟ ଯୋଗୁଁ ଏହି ୭ ଭାରତୀୟ ନାଗରିକଙ୍କୁ ମୁକ୍ତ କରିଛନ୍ତି ଅପହରଣକାରୀ । ଗତ ମାସରେ ଅପହରଣ କରାଯାଇଥିବା ନାଗରିକଙ୍କୁ ମୁକ୍ତ କରାଯାଇଥିବା ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆନ୍ଧ୍ରପ୍ରଦେଶ, ବିହାର ଓ ଗୁଜରାଟର ୭ଜଣଙ୍କୁ ଲିବିୟାର ଅଶରିଫ ଅଞ୍ଚଳରୁ ଅପହରଣ କରି ନିଆଯାଇଥିଲା। ​ତୈଳ କ୍ଷେତ୍ର ନିର୍ମାଣ କମ୍ପାନୀରେ କାର୍ଯ୍ୟ କରିବାକୁ ସେମାନେ ସେଠାକୁ ଯାଇଥିଲେ। ତେବେ ଅପହର୍ତ୍ତାମାନେ କମ୍ପାନୀ ମାଲିକଙ୍କୁ ଫୋନ୍ କରି ଅପହୃତ ବ୍ୟକ୍ତି ସୁରକ୍ଷିତ ଥିବା କହିଥିଲେ। ଦୀର୍ଘ ସମୟ ଧରି ସୈନ୍ୟ ଶାସକ ଭାବେ କାର୍ଯ୍ୟ କରୁଥିବା ମୁଅମ୍ମର ଗଦାଫିଙ୍କୁ ହଟାଇ ଦିଆଯିବା ପରେ ଲିବିୟାରେ ଅରାଜକତା ବୃଦ୍ଧି ପାଇଛି। ଏପରିକି ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ଲିବିୟାର ବହୁ ଉପକୂଳବର୍ତ୍ତୀ ସହରକୁ କବଜା କରି ରଖିଛି।

୨୦୧୫ରେ ଭାରତ ସରକାର ନାଗରିକଙ୍କ ପାଇଁ ଏକ ଆଡ୍‌ଭାଇଜରି ଜାରି କରିଥିଲେ। ଏଥିରେ ଲିବିୟା ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଥିଲା। ୨୦୧୬ରେ ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବା ନେଇ ଲିବିୟା ଗସ୍ତ ଉପରେ ପ୍ରତିବନ୍ଧ ଲଗାଇଥିଲେ ସରକାର।

ତେବେ ସେଠାକୁ କାମ କରିବାକୁ ଯାଇଥିବା ୭ ଭାରତୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି। ଟ୍ୟୁନିସିଆର ଭାରତୀୟ ରାଷ୍ଟ୍ରଦୂତ ଉଦ୍ଧାର ନାଗରୀକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି।  ଏନେଇ ସୋମବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ଅପହୃତମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି। ଭାରତ ସରକାର ଲିବିୟାର  ସରକାରୀ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଆଦିବାସୀ ଲୋକଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.