ସାନ ସିନା ଦାନ ତା ମହାନ : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ମେଧାବୃତ୍ତି ଅର୍ଥରାଶି ଦେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ ସମୀକ୍ଷା

Published By : Prameya-News7 Bureau | April 11, 2020 IST

ଭୁବନେଶ୍ବର ୧୧।୪: ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ମହାମାରୀ । ଦେଶରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଆମ ରାଜ୍ୟ ଓଡିଶାରେ ଏହି ମହାମାରୀ ଶିକାର ହୋଇଛନ୍ତି ଲୋକ । ବର୍ତ୍ତମାନ କରୋନା ମହାମାରୀ ସହ ସହ ଲଢ଼ୁଛି ସାରା ଓଡିଶା । ଏହି ମହାମାରୀର ମୁକାବିଲା ପାଇଁ ସହାୟତାର ହାତ ବଢାଉଛନ୍ତି ବିଭିନ୍ନ ବର୍ଗର ଲୋକ ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ରୀ ସମୀକ୍ଷା ମହାନ୍ତି ମଧ୍ୟ ରାଜ୍ୟର ଏଭଳି ସଙ୍କଟ ସମୟରେ ସହାୟତାର ହାତ ବଢାଇଛନ୍ତି । ସାନ ପିଲା ସିନା ହେଲେ ତାଙ୍କ ଦାନ ମହାନ । ସେ ତାଙ୍କର ମେଧାବୃତ୍ତି ବାବଦ ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ପ୍ରଦାନ କରିଛନ୍ତି ।

ଗତବର୍ଷ ଫନି ବାତ୍ୟା ସମୟରେ ସମୀକ୍ଷା ପ୍ରଥମ ବର୍ଷର ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଦାନ କରିଥିବା ବେଳେ ଦ୍ବିତୀୟ ବର୍ଷର ଅର୍ଥରାଶିକୁ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି । ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦ୍ବିତୀୟ ବର୍ଷ ପାଇଁ ପାଇଥିବା ୨୪୦୦ ଟଙ୍କାକୁ ଚେକ୍ ଜରିଆରେ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରଠାରେ କାର୍ଯ୍ୟରତ ମେଲ୍ ଗାର୍ଡ ରବି ନାରାୟଣ ମହାନ୍ତିଙ୍କ ସାନ ଝିଅ ହେଉଛନ୍ତି ସମୀକ୍ଷା । ସେ ଜଣେ ମେଧାବୀ ଛାତ୍ରୀ ସହ ଓଡିଶୀ ନୃତ୍ୟାୟନ ଅନୁଷ୍ଠାନର ଛାତ୍ରୀ । ଗତବର୍ଷ ସେ ସର୍ବଭାରତୀୟ ସ୍ତରରେ ଓଡିଶୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣି ପାରିଥିଲେ । ଗଞ୍ଜାମ ଜିଲ୍ଲାପାଳ ସମୀକ୍ଷାଙ୍କ ଏହି ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.