୨୪ ଘଣ୍ଟାରେ ୬ ହଜାର ୭୬୭ ନୂଆ ମାମଲା : ୧ ଲକ୍ଷ ୩୧ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ ୨୪/୦୫ : ଦେଶରେ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ଏହାସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୩୧ ହଜାର ୮୬୮ ରେ ପହଞ୍ଚିଛି | ଶନିବାର ଦିନ କଭୀ-୧୯ ଯୋଗୁଁ ୧୪୭ ଜଣ ପ୍ରାଣ ହରାଇଛନ୍ତି | ଦେଶରେ ଏବେ ସୁଦ୍ଧା କରୋନା ଯୋଗୁଁ ୩ ହଜାର ୮୬୭ ଜଣ ପ୍ରାଣ ହରାଇ ସାରିଛନ୍ତି | ବର୍ତ୍ତମାନ ଦେଶରେ ୭୩ ହଜାର ୫୬୦ ଆକ୍ଟିଭ ମାମଲା ରହିଥିବାବେଳେ ୫୪ ହଜାର ୪୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ରାଜସ୍ଥାନରେ ୧୬୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି | ଉତ୍ତର ପ୍ରଦେଶରେ ୧୫୫, ତାମିଲନାଡୁରେ ୧୦୩, ଆନ୍ଧ୍ରପ୍ରଦେଶରେ ୫୬, ତେଲେଙ୍ଗାନାରେ ୪୫, କର୍ଣ୍ଣାଟକରେ ୪୧, ପଞ୍ଜାବରେ ୩୯, ଜାମ୍ମୁ କାଶ୍ମୀରରେ ୨୦, ହରିୟାଣାରେ ୧୬, ବିହାରରେ ୧୧, ଓଡିଶାରେ ୭ ଜଣଙ୍କର ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ସଂକ୍ରମଣରେ ମୃତ୍ୟୁବରଣ କରିଥିବା ୭୦ ପ୍ରତିଶତ ରୋଗୀ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ |

ଭାରତ କରୋନା ସଂକ୍ରମଣ ମାମଲାରେ ବର୍ତ୍ତମାନ ଇରାନକୁ ମଧ୍ୟ ପଛରେ ପକେଇବାକୁ ବସିଲାଣି | ଭାରତରେ ପାଖାପାଖି ୧ ଲକ୍ଷ ୩୨ ହଜାର ଲୋକ କରୋନା ପୀଡିତ ଅଛନ୍ତି | ଶନିବାର ରାତି ସୁଦ୍ଧା ଭାରତ କରୋନା ମାମଲାରେ ବିଶ୍ୱରେ ୧୧ତମ ସ୍ଥାନରେ ଥିଲା | ଇରାନରେ ୧ ଲକ୍ଷ ୩୩ ହଜାର ସଂକ୍ରମିତ ହୋଇ ୧୦ମ ସ୍ଥାନରେ ରହିଛି | ଇରାନରେ ଶନିବାର ଦିନ ପାଖାପାଖି ୨ ହଜାର ମାମଲା ସାମ୍ନାକୁ ଆସିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.