Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୬୭ ହଜାର ନୂଆ ମାମଲା, ୯୪୨ ସଂକ୍ରମିତଙ୍କ ମୃତ୍ୟୁ

13/08/2020 at 12:41 PM

ନୂଆଦିଲ୍ଲୀ ୧୩/୦୮ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮କୁ ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୬ ହଜାର ୯୯୯ ନୂଆ ମାମଲା ସାମ୍ନାକୁ ଆସିଛି | ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି | ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ୬୫ ହଜାର ୧୫୬ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗୋଟିଏ ଦିନରେ ୯୪୨ ରୋଗୀଙ୍କ ମୃତ୍ୟୁ ହୋଇଛି | ବୁଧବାର ଦିନ ରେକର୍ଡ ସଂଖ୍ୟକ ୫୭ ହଜାର ୭୫୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୬ ଲକ୍ଷ ୫୩ ହଜାର ୬୨୨ ଆକ୍ଟିଭ ମାମଲା ରହିଛି | ଦେଶରେ ଏବେ ସୁଦ୍ଧା ୪୭ ହଜାର ୩୩ ରୋଗୀ ପ୍ରାଣ ହରାଇ ସାରିଛନ୍ତି | ଅପରପକ୍ଷରେ ୧୬ ଲକ୍ଷ ୯୫ ହଜାର ୯୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ଦେଶରେ କରୋନା ମୃତ୍ୟୁହାର ହ୍ରାସ ପାଇଛି | ମୃତ୍ୟୁହାର ବର୍ତ୍ତମାନ ୧.୯୬ ପ୍ରତିଶତ ରହିଛି | ଆକ୍ଟିଭ ମାମଲା ମଧ୍ୟ ହ୍ରାସ ପାଇ ୨୭.୨୭ ପ୍ରତିଶତ ରହିଛି | ଏହାସହ ସୁସ୍ଥହାର ୭୦.୭୬ ପ୍ରତିଶତ ରହିଛି | ଦେଶରେ ସୁସ୍ଥହାର ଲଗାତାର ବଢ଼ିବାରେ ଲାଗିଛି |

କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ବୁଧବାର ଦିନ ୧୨ ହଜାର ୭୧୨ ନୂଆ ମାମଲା ସାମ୍ନାକୁ ଆସିଥିଲା | ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୪୮ ହଜାର ୩୨୩ ହୋଇଛି | ୨୪ ଘଣ୍ଟାରେ ୩୪୪ ଜଣଙ୍କ ମୃତ୍ୟୁ ହୋଇଛି | କେବଳ ମୁମ୍ବାଇରେ ୨୭୯ ଜଣଙ୍କ ମୃତ୍ୟୁ ହୋଇଛି | ତେବେ ଗୋଟିଏ ଦିନରେ ୧୩ ହଜାରରୁ ଅଧିକ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି |

ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୧୧୩ ନୂଆ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାରରୁ ଅଧିକ ହୋଇଛି | ମୃତକଙ୍କ ସଂଖ୍ୟା ୪ ହଜାର ୧୫୩ ରେ ପହଞ୍ଚିଥିବାବେଳେ ୧ ଲକ୍ଷ ୩୩ ହଜାର ୪୦୫ ଜଣ ସୁସ୍ଥ ହୋଇଛନ୍ତି |

ଆନ୍ଧ୍ର ପ୍ରଦେଶରେ ୯ ହଜାର ୫୯୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୫୪ ହଜାର ୧୪୬ ଜଣ ସଂକ୍ରମଣର ଶିକାର ହୋଇଛନ୍ତି |

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁସାରେ, ଦେଶରେ କରୋନା ଯାଞ୍ଚ କ୍ଷମତା ବଢ଼ାଇ ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ନମୁନା ଯାଞ୍ଚ କରାଯାଇଛି | ଏବେ ସୁଦ୍ଧା ୨ କୋଟି ୬୫ ଲକ୍ଷରୁ ଅଧିକ ନମୁନା ଯାଞ୍ଚ କରାଯାଇଛି | 

   Related Posts