୬୫ ବର୍ଷ ବୟସ୍କଙ୍କୁ ମହଙ୍ଗାପଡିଲା ଡେଟିଂ ସାଇଟ୍ ନିଶା, ଠକିନେଲେ ସାଢେ ୭୩ଲକ୍ଷ ଟଙ୍କା
12/12/2019 at 8:17 PM

ନାଭି ମୁମ୍ବାଇ ୧୨।୧୨: ଖାରଘର ପୋଲିସ କୋଲକାତାର ଏକ ନକଲି କଲ ସେଣ୍ଟରର ପର୍ଦ୍ଦାଫାସ କରିଛି। ମାମଲାରେ ପୋଲିସ ଜଣେ ଟ୍ରାନ୍ସଜେଣ୍ଡର ସମେତ ମୋଟ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। ଏମାନେ ଡେଟିଂ ସାଇଟ୍ ମେମ୍ବରସିପ୍ ନାମରେ ନାଭିମୁମ୍ବଇ ଖାରଘରର ଜନୈକ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରୁ ସାଢେ ୭୩ ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।

ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ସୋଧପୁରର ସ୍ନହା ଓରଫ ମହି ଦାସ(୨୫), ମଣ୍ଡଳପଡାର ପ୍ରବୀର ଶାହା(୩୫) ଓ ହାୱଡା ଦୁର୍ଗାପୁରର ଅର୍ଣ୍ଣବ ରାୟ। ଏମାନଙ୍କ ମଧ୍ୟରୁ ସ୍ନେହା ମୁମ୍ବାଇ ଖାରଘରର ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ସେମାନଙ୍କ ଡେଟିଂ ସାଇଟ୍ ‘ଲୋକାନ୍ତୋ’ ଲାଗି ସବସ୍କ୍ରାଇବର କରିଥିଲେ।

୨୦୧୮ ମସିହାରେ ତାଙ୍କୁ ସବସ୍କ୍ରାଇବର କରିବା ବେଳେ ଦେଇଥିବା ଲୋଭନୀୟ ପ୍ରତିଶ୍ରୁତି ପାଳନ କରିନଥିଲେ। ଏଣୁ ସବସ୍କ୍ରାଇବର ନିରାଶ ହୋଇ ସଦସ୍ୟତା ପ୍ରତ୍ୟାହାର କରିବାକୁ କହିଥିଲେ। ତେବେ ଡେଟିଂ ସାଇଟ୍ ମିଥ୍ୟା ଲିଗାଲ ନୋଟିସ ପଠାଇ ଆଇନ ଜାଲରେ ଫସାଇବାକୁ ଧମକ ଦେଇ ଟଙ୍କା ଆଦାୟ କରିବାରେ ଲାଗିଥିଲେ। ଏହିକ୍ରମରେ ସେମାନେ ତାଙ୍କ ଠାରୁ ସାଢେ ୭୩ ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଶାହାସ ସଞ୍ଚୟ କରି ଖାରଘର ଥାନାରେ ଲିଖିତ ଏତଲା କରିଛନ୍ତି। ଏଣୁ ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ବେଳେ ଠକେଇ ଧରାପଡିଛି।