Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ହେଲେ ସୁସ୍ଥ, ଘରକୁ ଫେରିଲେ ୬୩,୬୩୧, ସୁସ୍ଥହାର ୭୪.୬୯%

22/08/2020 at 5:33 PM

ନୂଆଦିଲ୍ଲୀ ୨୨।୦୮: ଦେଶରେ ଏବେ ମଧ୍ୟ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏସବୁ ମଧ୍ୟରେ ଆଶ୍ଵସ୍ତିକର ବିଷୟ ଏହା ଯେ କରୋନା ଭୂତାଣୁ ସଂକ୍ରମିତ ଲୋକ ଶୀଘ୍ର ସୁସ୍ଥ ହେବାରେ ଲାଗିଛନ୍ତି। ଶନିବାର ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୨୪ ଘଣ୍ଟାରେ ୬୩,୬୩୧ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଆକ୍ଟିଭ୍ କେସ୍ ସଂଖ୍ୟାଠୁ ୧୫  ଲକ୍ଷରୁ ଅଧିକ ରହିଛି। ଏହା ପରେ ଦେଶରେ ସୁସ୍ଥହାର ୭୪.୬୯ ପ୍ରତିଶତରେ ପହଞ୍ଚିଛି।

ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ୬୩,୬୩୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥିରେ ଦେଶର କରୋନା ସୁସ୍ଥହାର ବଢି ୭୪.୬୯ ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର କହିଛି ମାତ୍ର ୨୧ ଦିନରେ କରୋନାରୁ ରୋଗମୁକ୍ତ  ବ୍ୟକ୍ତିଙ୍କ ସଂଖ୍ୟା ଦୁଇ ଗୁଣରୁ ଅଧିକ ବଢିଛି। ଦେଶରେ ଅଗଷ୍ଟ ୧ରେ କରୋନା ସଂକ୍ରମଣରୁ ମୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦,୯୪,୩୭୪ ରହିଥିଲା ଯାହା ଅଗଷ୍ଟ ୨୧କୁ ବଢି ୨୨, ୨୨, ୫୭୭ରେ ପହଞ୍ଚିଛି।

ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୬୯,୮୭୮ ନୂତନ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ଏହା ପରେ ସଂକ୍ରମଣକାରୀଙ୍କ ସଂଖ୍ୟା ୨୯, ୭୫, ୭୦୧କୁ ବୃଦ୍ଧି ଘଟିଛି। ମାତ୍ର ଅଗଷ୍ଟ ୨୨ରେ ୬୩,୬୩୧ ରୋଗମୁକ୍ତ ହେବା ପରେ ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୬,୯୭, ୩୩୦ ରହିଛି।

   Related Posts