୬୩ବର୍ଷ ବୟସ୍କା ବୃଦ୍ଧାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଯୁବକକୁ ପୋଲିସ ଜିମାଦେଲେ ଗ୍ରାମବାସୀ
17/01/2020 at 2:17 PM

ମୋରଡା ୧୭।୧: ଦୁଷ୍କର୍ମର ଶିକାର ହେଲେ ୬୩ ବର୍ଷ ବୟସ୍କା ବୃଦ୍ଧା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଘୋଳମୁହାଁ ପଞ୍ଚାୟତ ଗଣ୍ଡଗୁହାଳି ଗ୍ରାମରେ । ଦୁଷ୍କର୍ମ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ପୀଡିତା ବୃଦ୍ଧା ଜଣଙ୍କ ଛେଳି ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଛେଳି ନେଇ ଆସିବା ସମୟରେ ନିଛାଟିଆ ସ୍ଥାନରେ ଅଭିଯୁକ୍ତ ବୃଦ୍ଧାଙ୍କୁ ଟଣାଓଟରା କରିଥିଲା ଯୁବକ । ପ୍ରତିବାଦ କରିବାରୁ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ପରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲା ବୋଲି ପୀଡିତା ବୃଦ୍ଧା ଅଭିଯୋଗ କରିଛନ୍ତି ।
ଦୁଷ୍କର୍ମ ପରେ ଘଟଣା ପ୍ରଘଟ ସହ ଲୋକଲଜ୍ଜା ଭୟରେ ପୀଡିତା ବୃଦ୍ଧାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । କୌଣସି ପ୍ରକାରେ ଅଭିଯୁକ୍ତର ହାତକୁ ପୀଡିତା କାମୁଡି ଦେବାରୁ ଯନ୍ତ୍ରଣାରେ ଛାଡି ଦେଇଥିଲା । ଏହି ସମୟରେ ପୀଡିତା ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ଆସିବାରୁ ଅଭିଯୁକ୍ତ ଦିଲ୍ଲୀପ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଗୋଡାଇ ଗୋଡାଇ ଧରିଥିଲେ ।
ତେବେ ଘଟଣାସ୍ଥଳରେ ଅଭିଯୁକ୍ତ ଜଣଙ୍କ ଚପଲ, ଚଷମା ଓ ମୋବାଇଲ ଛାଡି ପଳାଇଥିଲେ । ଅଭିଯୁକ୍ତ ଛାଡି ପଳାଇଥିବା ଜିନିଷ ଉଦ୍ଧାର କରି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ତେବେ ମୋରଡା ଥାନାରେ ଅଭିଯୋଗ ପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ନେଇ ସୂଚନା ମିଳିଛି ।