୬୦୦ ଦିନ ପରେ ପଡିଆକୁ ଓହ୍ଲାଇଲେ ସୁରେଶ ରୈନା, ମାରିଲେ ଅର୍ଦ୍ଧଶତକ, ବୋଲିଂରେ ଚମକିଲେ ଭୁବନେଶ୍ଵର କୁମାର
10/01/2021 at 9:37 PM

ନୂଆଦିଲ୍ଲୀ ୧୦।୦୧: ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ରେ ସୁରେଶ ରୈନା ନିଜର ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ସାବ୍ୟସ୍ତ କରିଛନ୍ତି ଯେ, ତାଙ୍କ ଭିତରେ ଏବେ ମଧ୍ୟ ଅନେକ କ୍ରିକେଟ୍ ବଞ୍ଚିଛି। ୬୦୦ ଦିନ ପରେ ରୈନା ପ୍ରଥମ ଥର କୌଣସି ଟୂର୍ଣ୍ଣାମେଣ୍ଟରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲେ। ଅନ୍ୟପଟେ ଆହତ ସମସ୍ୟାରୁ ମୁକୁଳି ଦୀର୍ଘ ଦିନ ପରେ ପଡିଆକୁ ଓହ୍ଲାଇଥିବା ଦ୍ରୁତ ବୋଲର ଭୁବନେଶ୍ଵର କୁମାର ମଧ୍ୟ ଚମକିଛନ୍ତି।
ବିସିସିଆଇ ଦ୍ଵାରା ଆୟୋଜିତ ଘରୋଇ ଟି-୨୦ ଟୂର୍ଣ୍ଣାମେଣ୍ଟରେ ରୈନା ଉତ୍ତର ପ୍ରଦେଶ ଦଳ ପକ୍ଷରୁ ଖେଳୁଛନ୍ତି। ୟୁପିର ପ୍ରଥମ ମୁକାବିଲା ପଞ୍ଜାବ ସହିତ ହୋଇଛି। ଏହି ମ୍ୟାଚ୍ରେ ପଞ୍ଜାବ ୟୁପିକୁ ୧୧ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ରୈନା ୫୦ ବଲରୁ ଅପରାଜିତ ୫୬ ରନର ଇନିଂସେ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନାହାନ୍ତି। ପଞ୍ଜାବ ୟୁପିକକୁ ୧୩୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ୟୁପି ୫ ଓ୍ଵିକେଟ୍ ହରାଇ ୧୨୩ ରନରେ ସୀମିତ ରହିଥିଲା। ଟି-୨୦ କ୍ୟାରିୟରରେ ଏମିତି ଦ୍ଵିତୀୟ ଥର ଘଟିଛି ଯେବେ ରୈନା ଅପରାଜିତ ରହି ମଧ୍ୟ ଦଳ ପରାଜିତ ହୋଇଛି। ଏହା ପୂର୍ବରୁ ଆଇପିଏଲ ୨୦୦୮ରେ ଆରସିବି ବିପକ୍ଷରେ ରୈନା ଅପରାଜିତ ଅର୍ଦ୍ଧଶତକ କରିଥିଲେ ମଧ୍ୟ ଚେନ୍ନାଇକୁ ବିଜୟୀ କରାଇ ପାରିନଥିଲେ।
ଏବେ ୧୩ ବର୍ଷ ପରେ ପୁଣି ଥରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ନିଜ ଦଳକୁ ରୈନା ଜିତାଇ ପାରି ନାହାନ୍ତି। ଏହି ମ୍ୟାଚ୍ରେ ପଞ୍ଜାବ ତରଫରୁ ପ୍ରଭସିମରନ ୪୧ ବଲ୍ରୁ ୪୩ ରନ ଏବଂ ଅନମଲପ୍ରୀତ ସିଂହ ୨୭ ବଲରୁ ୩୫ ରନର ଇନିଂସ ଖେଳିଛନ୍ତି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। ଜବାବରେ ୟୁପି ୫ ଓ୍ଵିକେଟ୍ ହରାଇ ୨୦ ଓଭରରେ ୧୨୩ ରନ କରି ପାରିଛି। ଏହି ମ୍ୟାଚ୍ରେ ୟୁପି ପକ୍ଷରୁ ଭୁବନେଶ୍ଵର କୁମାର ମଧ୍ୟ ଖେଳୁଥିଲେ। ଆହତ ପରେ ପଡିଆକୁ ଫେରିଥିବା ଭୁବନେଶ୍ଵର ଦମଦାର ବୋଲିଂ କରି ୪ ଓଭରରେ ୨୨ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି।