ଦେଶର ଜଳୁଥିବା ଜଙ୍ଗଲର ୬୦ % ଓଡିଶାରେ, ନିଆଁ ଆୟତ୍ତ ପାଇଁ ଗଠନ ହେଲା ଟାସ୍କ ଫୋର୍ସ, ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା

Published By : Prameya-News7 Bureau | March 08, 2021 IST

ଭୁବନେଶ୍ଵର ୦୮।୦୩: ରାଜ୍ୟର ଅଧା ଜଙ୍ଗଲ ଜଳୁଛି । ଶିମିଳିପାଳରେ ସ୍ଥିତି ସଂଗୀନ । ସ୍ଥିତିର ଗମ୍ଭୀରତାକୁ ଦେଖି ନିଆଁ ଆୟତ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଗଠନ କରିଛନ୍ତି ଟାସ୍କ ଫୋର୍ସ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ବନାଗ୍ନି ସ୍ଥିତି ସମୀକ୍ଷା କରି ପଦକ୍ଷେପ ପାଇଁ ପରାମର୍ଶ ଦେବ ଟାସ୍କ ଫୋର୍ସ । ଏହାସହ ନିଆଁଲିବା କାମରେ ଓଡ୍ରାଫ୍ ଟିମ୍ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ସମୟ ପୂର୍ବରୁ ଗ୍ରୀଷ୍ମ ଋତୁର ଆଗମନ, ଅହେତୁକ ତାପମାତ୍ରା ବୃଦ୍ଧି ଏବଂ ମଧ୍ୟବର୍ତ୍ତୀକାଳୀନ ବୃଷ୍ଟିହୀନତା ବନାଗ୍ନିର କାରଣ ବୋଲି ପିସିସିଏଫ୍ ଙ୍କ କାର୍ଯ୍ୟାଳୟ କହିଛି । ଶିମିଳିପାଳ ବନାଗ୍ନି ନିୟନ୍ତ୍ରଣରେ ରହିଛି, ବ୍ୟାଘ୍ର ପ୍ରକଳ୍ପର ବାହ୍ୟ ଜଙ୍ଗଲରେ ନିଆଁ ସାମିତ ଥିବାରୁ କୋର ଏରିଆରେ ବନ୍ୟଜନ୍ତୁ ପ୍ରଭାବିତ ହୋଇନଥିବା ପିସିସିଏଫ୍ କହିଛନ୍ତି ।

{"id":419728,"sizeSlug":"large","linkDestination":"none"}

ନିଆଁ ମୁହଁରେ ଓଡିଶାର ଅଧାରୁ ଅଧିକ ଜଙ୍ଗଲ । ଦେଶର ଯେତିକି ସ୍ଥାନରେ ଜଙ୍ଗଲ ଜଳୁଛି ସେଥରୁ ୬୦ ପ୍ରତିଶତ କେବଳ ଓଡ଼ିଶାର ।  ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଦେଇଛି ଏହି ରିପୋର୍ଟ । ଏବେ ସୁଦ୍ଧା ଦେଶର ୧୫୨୨ ଟି ସ୍ଥାନରେ ବଡ ଧରଣର ନିଆଁ ଲାଗିଛି, ଏଥିରୁ ଓଡ଼ିଶାର ୯୧୮ ଟି ସ୍ଥାନ ରହିଛି । ଜଙ୍ଗଲ ନିଆଁ ଭୟଙ୍କର ହେଉଥିବା ବେଳେ ଏହାକୁ ଆୟତ୍ତ କରିବାକୁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଟାସ୍କ ଫୋର୍ସ ଟିମ୍ ର ଅଧ୍ୟକ୍ଷ ରହିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ତାସହ ଡେରାଡୁନର ଦୁଇ ଜଣ ଓ ହାଇଦ୍ରାବାଦର ଜଣେ ବରିଷ୍ଠ ଅଧିକାରୀଙ୍କୁ ବି ଟାସ୍କଫୋର୍ସରେ ରଖାଯାଇଛି।

ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶିମିଳିପାଳର ସ୍ଥିତିକୁ ଆଖିରେ ରଖି ବାରିପଦା ବନଖଣ୍ଡର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ଲାଗି ଛୁଟି ବାତିଲ୍ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା DFO । ନିଆଁଲିଭା କାର୍ଯ୍ୟରେ ୧୦୦ ଜଣ ଅସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି।

{"id":419729,"sizeSlug":"large","linkDestination":"none"}

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଗତ ୧୫ଦିନ ହେଲାଣି ଜଳୁଛି । ଏହା ବୁଶ୍ ଫାୟାର, କେବଳ ଶୁଖିଲାପତ୍ର ଏବଂ ଛୋଟ ଗଛ ଜଳୁଛି, ନିଆଁ କେବଳ ବଫର ଏରିଆରେ ଲାଗିଛି, କୋର ଏରିଆ ଯାଏଁ ନିଆଁ ପହଞ୍ଚିନି ଏମିତି କହି ବନବିଭାଗ ଯେତେ ଘୋଡାଇବାକୁ ଚେଷ୍ଟା କଲେ ବି ଶିମିଳିପାଳ ବନାଗ୍ନିର ସତ ଅତି ସଂଗୀନ । କରଞ୍ଜିଆ, ଯଶୀପୁର ଏବଂ ଉଦଳାର ଏକାଧିକ ରେଞ୍ଜର ୫ ଶହରୁ ଅଧିକ ସ୍ଥାନରେ ନିଆଁ ଜଳୁଛି । ନାସାର ସାଟେଲାଇଟ୍ ଚିତ୍ର ଦେଖିଲେ ବୁଝିହେବ ସ୍ଥିତି କେତେ ଗମ୍ଭୀର । ତେବେ ପିସିସିଏଫ କହିଛନ୍ତି ନିଆଁ ଆୟତ୍ତରେ ରହିଛି ।

{"id":419730,"sizeSlug":"large","linkDestination":"none"}

ଜଙ୍ଗଲରେ ଶିକାରୀ ଏବଂ କାଠ ମାଫିଆ ମାତିଛନ୍ତି । ଏମାନେ ନିଆଁ ଲଗାଉ ଥିବା ସୂଚନା ଆସୁଛି । କେବଳ ଶିମିଳିପାଳ ନୁହେଁ, ସମ୍ବଲପୁର, କେନ୍ଦୁଝର, ନୀଳଗିରି, ବାଲିଗୁଡା, ଢେଙ୍କାନାଳରେ ଜଙ୍ଗଲ ଜଳୁଛି । ଅନେକ ଗଛଲତା ପୋଡି ପାଉଁଶ ହୋଇଗଲାଣି । ଜଙ୍ଗଲ ଭିତରେ ଜଳି ଯାଇଥିବା ଗଛ ପତ୍ରକୁ ଦେଖିଲେ ବୁଝିହେବ । ପୁଣି ଅନେକ ସ୍ଥାନରେ ରଡ ନିଆଁ ଦିକି ଦିକି ହେଉଛି । ରାତିରେ ଜଙ୍ଗଲ ନିଆଁର ଚିତ୍ର ଅତି ଭୟଙ୍କର ଦେଖାଯାଉଛି । ନିଆଁ ଗୋଟିକ ପରେ ଗୋଟିଏ ସ୍ଥାନକୁ ଡେଉଁଥିବାରୁ  ଜଙ୍ଗଲ ସହ ବନ୍ୟଜନ୍ତୁଙ୍କ ଉପରେ ବିପଦ ରହିଛି । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫଓ ବଡ଼ ପଦକ୍ଷେପ ନେଇଛନ୍ତି । ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ । ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ସେହିପରି ଯେଉଁମାନେ ଜଙ୍ଗଲକୁ ପ୍ରବେଶ କରିବେ ସେମାନେ ନିଆଁ କିଏ ଲଗାଇଲା ତାହା ଜଣାଇବେ। ନହେଲେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କ ନାଁରେ ଆକ୍ସନ ନିଆଯିବ ।

{"id":419731,"sizeSlug":"large","linkDestination":"none"}

ଜଙ୍ଗଲ ନିଆଁ ନେଇ ଏବେ ରାଜନୀତି ତେଜିଛି । ବିଜେପି ଉପନେତା ମୋହନମାଝୀ ପ୍ରଶ୍ନ କରିଛନ୍ତି ଶିମିଳିପାଳରେ କାହିଁକି ଏଯାଏ ନିଆଁ ଲିଭାଯାଇନାହିଁ । ଏନେଇ ବିଜେପି ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ। ବିଧାନସଭାରେ ବିଜେପି ଏହି ପ୍ରସଙ୍ଗ ଉଠାଇବ । କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହା ଉପରେ ଜବାବ ରଖିଛି ବିଜେଡି ।

ଆସ ବଞ୍ଚାଇବା ଜଙ୍ଗଲ ଅଭିଯାନ, ଏପରି ଏକ କ୍ୟାମ୍ପେନ୍ ଆରମ୍ଭ କରିଛି ନ୍ୟୁଜ ୭ । ଏହାକୁ ରାଜ୍ୟର ବିଭିନନ୍ ମହଲରୁ ସମର୍ଥନ ମିଳିଛି । ଆପଣଙ୍କ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିଥିଲା ଆମକୁ ତୁରନ୍ତ ଜଣାଇ ପାରିବେ । ଏଥିପାଇଁ ୯୯୩୭୮୫୮୬୦୦ ନମ୍ବର ସହ ଆପଣ ନ୍ୟୁଜ ୭ର ସୋସିଆଲ ମିଡିଆ ପେଜ୍‌ରେ ନିଜ ମତ ରଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.