ଗୁଜରାଟରେ କରୋନା ସ୍ଥିତି ଅସମ୍ଭାଳ: ସିଭିଲ ହସ୍ପିଟାଲ ବାହାରେ ଲାଗିଲା ଆମ୍ବୁଲାନ୍ସର ଲମ୍ବା ଲାଇନ

Published By : Prameya-News7 Bureau | April 14, 2021 IST

ଅହମଦାବାଦ ୧୪/୦୪ : କରୋନା ସଂକ୍ରମଣ ଯୋଗୁଁ ଗୁଜରାଟରେ ସ୍ଥିତି ଗମ୍ଭୀର ହୋଇଛି। ନିୟମିତ କରୋନା ମାମଲା ବୃଦ୍ଧି ପାଉଥବାରୁ ହସ୍ପିଟାଲମାନଙ୍କରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି। ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ଼ ଉପଲବ୍ଧ ନାହିଁ। ଗୁରୁତର ରୋଗୀଙ୍କୁ ବେଡ଼ ପାଇଁ ଅପେକ୍ଷା କରିବାକୁ ପଡୁଛି।

ରାଜ୍ୟ ରାଜଧାନୀ ଅହମଦାବାଦ ସିଭିଲ ହସ୍ପିଟାଲରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏମର୍ଜେନ୍ସି ୱାର୍ଡକୁ ରୋଗୀଙ୍କ ଆସିବା ସଂଖ୍ୟା ଗତ ୧୦ ଦିନରେ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଅଧିକ କୋଭିଡ-୧୯ ରୋଗୀ। ଅହମଦାବାଦ ସିଭିଲ ହସ୍ପିଟାଲରେ ୬୦ଟି ଆମ୍ବୁଲାନ୍ସ ବଢ଼ାଇ ଦିଆଯାଇଛି।

ଗୁଜରାଟରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ପ୍ରୟାସକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ପର୍ଯ୍ୟାପ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ଗତ ବର୍ଷେ ହେଲା କରୋନା ବିରୋଧରେ ଲଢେଇ ଜାରି ରଖିଛି ଏବଂ କେଉଁଠି କିଛି ଭୁଲ ହୋଇନାହିଁ। ସେ କହିଛନ୍ତି ଯେ ଅହମଦାବାଦ, ରାଜକୋଟ, ସୁରଟ ସମେତ ୪ ମହାନଗରରୁ ୭୦ ପ୍ରତିଶତ ମାମଲା ସାମ୍ନାକୁ ଆସିଛି।

ସେ କହିଛନ୍ତି ଯେ ସୋମବାର ଦିନ ଗୁଜରାଟରୁ ୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। କିନ୍ତୁ ସଂକ୍ରମଣ ଚେନ ଭାଙ୍ଗିବାକୁ ମେଡିକାଲ ଫାସିଲିଟି ବଢ଼ାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଗୁଜରାଟରେ କରୋନା ମାମଲା ହ୍ରାସ ପାଇବ। ରାଜ୍ୟରେ ରେମଡେସିଭିର ଇଞ୍ଜେକ୍ସନର ବି ଚାହିଦା ଅଧିକ ରହିଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.