ନବରଙ୍ଗପୁର ୦୪।୧୦- ଉମରକୋଟ ବ୍ଲକ୍ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଖେଳ ପଡିଆକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଓ ପରେ ସଂଘର୍ଷ ଘଟି ଛଅ ଜଣ ମହିଳା ଗୁରୁତର ଆହତ ହୋଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।
ପ୍ରକାଶ ଥାଉକି ସୁନାବେଡା ପଞ୍ଚାୟତ ଅନ୍ତର୍ଗତ ଏକ ଖେଳ ପଡିଆକୁ ନେଇ ଉକ୍ତ ପଞ୍ଚାୟତର ସାହେବଗୁଡା,ମାଟିଗୁଡା,କୁଟିଆରିଗୁଡା ଓ ପୁଟୁଗୁଡା ମଧ୍ୟରେ ବହୁଦିନ ଧରି ବିବାଦ ଲାଗି ରହିଥିଲା । ଆଜି ଉକ୍ତ ଖେଳ ପଡିଆରେ ଫୁଟବଲ ଖେଳ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବାରୁ ବଚସା ସଂଘର୍ଷର ରୂପ ନେଇଥିଲା । ସଂଘର୍ଷରେ ପୁଟୁଗୁଡା ଗ୍ରାମର ଛଅ ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବାବେଳେ ଘଟଣା ସ୍ଥଳରେ ପୋଲିସ୍ ମୃତୟନ କରାଯାଇଥିବା ସୂଚନା ମିଳିଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି