‘ନିର୍ବାଚନ ହେବାକୁ ଥିବା ୟୁପି ସମେତ ୬ ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ’: ସ୍ବାସ୍ଥ୍ୟ ମନ୍ତ୍ରାଳୟ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦/୦୧ : ଭାରତରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସ୍ଥିତି ଚିନ୍ତାଜନକ ଥିବା ବେଳେ ବୟାନ ଜାରିକରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଗୁରୁବାର ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତର ପ୍ରଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ ଏବଂ ନିର୍ବାଚନୀ ରାଜ୍ୟ ୟୁପି​‌ରେ କରୋନା ସଂକ୍ରମଣକୁ ରୋକିବା ଆବଶ୍ୟକ । କାରଣ ଏହି ସବୁ ରାଜ୍ୟରେ ସଂକ୍ରମଣ ବ୍ୟାପକ ହେଉଥିବାରୁ ରୋକିବା ଚିନ୍ତାର ବିଷୟ ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ପ୍ରେସ୍‌ କନଫରେନ୍ସରେ କହିଛନ୍ତି, ହଟସ୍ପଟ୍‌ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିମ୍‌ ପଠାଯାଇଛି । ସେମାନେ ସେହି ରାଜ୍ୟମାନଙ୍କରେ ସ୍ଥିତି ସମୀକ୍ଷା ଜାରି ରଖିଛନ୍ତି । ମହାରାଷ୍ଟ୍ରରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨ ପ୍ରତିଶତ ରହିଛି । ସେହିଭଳି କର୍ଣ୍ଣାଟକରେ ସକ୍ରିୟ ସଂକ୍ରମିତ ହାର ୦.୫ ପ୍ରତିଶତ ବୃଦ୍ଧିପାଇ ୧୫ ପ୍ରତିଶତ ହୋଇଯାଇଛି । ତାମିଲନାଡୁ ଏବଂ କେରଳରେ ସକ୍ରିୟ ସଂକ୍ରମିତ ହାର ଯଥାକ୍ରମେ ୨୦ ଏବଂ ୩୨ ପ୍ରତିଶତ ରହିଛି । ସେହିଭଳି ଦିଲ୍ଲୀରେ ୩୦ ପ୍ରତିଶତ ଏବଂ ୟୁପିରେ ୬ ପ୍ରତିଶତରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ରାଜେଶ ଭୂଷଣ ଆହୁରି ମଧ୍ୟ କହିଛନ୍ତି, ‘ବର୍ତ୍ତମାନ ବିଶ୍ବରେ କରୋନାର ଚତୁର୍ଥ ଲହର ଜାରି ରହିଛି । ଗତ ୧ ସପ୍ତାହ ହେଲା ପ୍ରତିଦିନ ବିଶ୍ବରେ ୨୯ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ଆଶ୍ବସ୍ତିକର ଖବର ହେଉଛି ଗତ ୪ ସପ୍ତାହ ହେଲା ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ହାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ୟୁରୋପରେ ମଧ୍ୟ ସଂକ୍ରମଣ ହାର ଲଗାତାର ଭାବେ କମୁଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ, ୟୁପି, ଗୁଜୁରାଟ, ଓଡିଶା ଏବଂ ରାଜସ୍ଥାନରେ ସଂକ୍ରମଣ ହାର ଅଧିକ ରହିଛି ।’

ଗତ ୨୦୨୧ ଏପ୍ରିଲ ୩୦ ତାରିଖରେ ଯେତେବେଳେ ଦେଶରେ ଦ୍ବିତୀୟ ଲହର ପିକ୍‌ରେ ଥିଲା ସେତେବେଳେ ୩,୮୬,୪୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୩୦୫୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୦,୨୨୮ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.