ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଶିଶୁଙ୍କ ସମେତ ୬ଜଣ ଅସୁସ୍ଥ
22/06/2019 at 6:57 PM

ଉମରକୋଟ୨୨|୬: ବିଷାକ୍ତ ଛତୁ ଖାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦାସପୁର ଗ୍ରାମର ଗୋଟିଏ ପରିବାରର ତିନି ଶିଶୁ ସମେତ ଛଅ ଜଣ ଅସୁସ୍ଥ ହୋଇ ଉମରକୋଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅସୁସ୍ଥଙ୍କ ମଧ୍ୟରେ ତିନି ଜଣ ଶିଶୁ ଏବଂ ତିନି ଜଣ ମହିଳା ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଦାସପୁର ଗ୍ରାମର ଅମିତ ସର୍ଦ୍ଦାର ଙ୍କ ପରିବାର ଆଜି ସକାଳୁ ନିଜ ବାଡ଼ରୁ ଛତୁ ଆଣି ତରକାରୀ କରି ଖାଇଥିଲେ।ଖାଇ ସାରିବାର କିଛି ସମୟ ପରେ ସେମାନଙ୍କୁ ହଠାତ ମୁଣ୍ଡ ବୁଲେଇ ବାନ୍ତି ହୋଇଥିଲା। ପରେ ପରିବାର ଲୋକେ ଛତୁ ଖାଇ ଅସୁସ୍ଥ ହୋଇଥିବା ଜାଣି ପ୍ରଥମେ ରାଇଘର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ସେମାନଙ୍କର ସ୍ବାସ୍ଥବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଭର୍ତ୍ତି କରାଯାଇଛି।

ଚିକିତ୍ସା କରିବା ପରେ ବର୍ତ୍ତମାନ ସେମାନେ ସମସ୍ତେ ବିପଦ ମୁକ୍ତ ଥିବା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସକ ଡ଼ଃ ସୁମନ୍ତ ରାଉଳ ପ୍ରକାଶ କରିଛନ୍ତି।