୬ ପାକିସ୍ତାନୀ ଖେଳାଳିଙ୍କୁ କରୋନା : ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ୪ ଥର ରିପୋର୍ଟ ଆସିଥିଲା ନେଗେଟିଭ୍, ମାନୁନଥିଲେ ଆଇସୋଲେସନ ନିୟମ
26/11/2020 at 1:12 PM

ଖ୍ରୀଷ୍ଟଚର୍ଚ୍ଚ,୨୬/୧୧: ନ୍ୟୁଜିଲାଣ୍ଡରେ ପହଁଚିଥିବା ପାକିସ୍ତାନ କ୍ରିକେଟ ଟିମ୍ର ୬ ଜଣ ସଦସ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଖ୍ରୀଷ୍ଟଚର୍ଚ୍ଚରେ କ୍ୱାରେଣ୍ଟାଇନରେ ରଖାଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏହି ସୂଚନା ଦେଇଛି । ଏହି ୬ଜଣ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ସଂକ୍ରମିତ ହୋଇଥିଲେ । ଅନ୍ୟ ୪ଜଣ ନୂତନ ସଂକ୍ରମିତ ଅଟନ୍ତି । ଏହାସହ ପାକିସ୍ତାନ ଦଳକୁ ଅଭ୍ୟାସ ପାଇଁ ମନା କରାଯାଇଛି ।
ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ସୂଚନାନୁସାରେ, ଏହି ୬ ଖେଳାଳିଙ୍କ ମଧ୍ୟରୁ ୨ ଖେଳାଳିଙ୍କ ଶରୀରରେ ପୂର୍ବରୁ ଲକ୍ଷଣ ରହିଥିଲା । ୪ ଜଣ ନିକଟରେ ସଂକ୍ରମିତ ହୋଇଛନ୍ତି । ଏବେ ପାକିସ୍ତାନୀ କ୍ରିକେଟ୍ ଟିମ୍ ଆଇସୋଲେସନରେ ଆଉ ଅଭ୍ୟାସ କରିବ ନାହିଁ ।
ଏହି ଖବର ପାକିସ୍ତାନ ଟିମ୍ ପାଇଁ ଅତି ନୈରାଶ୍ୟଜନକ ଅଟେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ସମସ୍ତ ଖେଳାଳିଙ୍କ ରିପୋର୍ଟ ୪ ଥର ନେଗେଟିଭ୍ ଆସିଥିଲା ।ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଫଖର ଜମାଁଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ତେଣୁ ତାଙ୍କୁ ଗସ୍ତରୁ ବାଦ୍ ଦିଆଯାଇଥିଲା । ଏବେ କେଉଁ କେଉଁ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାହା ଜଣାପଡି ନାହିଁ । ଏହାସହ ପାକିସ୍ତାନର କିଛି ସଦସ୍ୟ ଆଇସୋଲେସନ ନିୟମ ଭାଙ୍ଗିଥିବା ମଧ୍ୟ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ପାକିସ୍ତାନୀ ଟିମ୍ ମଙ୍ଗଳବାର ନ୍ୟୁଜିଲାଣ୍ଡରେ ପହଁଚିଥିଲା । ଏହାପରେ ସମସ୍ତ ସଦସ୍ୟ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିଥିଲେ । ପାକ୍ ନ୍ୟୁଜିଲାଣ୍ଡ ଗସ୍ତରେ ୩ଟି ଟି୨୦ ଓ ଦୁଇଟି ଟେଷ୍ଟ୍ ଖେଳିବ ।