Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପୁଣି ବଡ କାର୍ଯ୍ୟାନୁଷ୍ଠାନ, ବରଖାସ୍ତ ହେଲେ ୬ ଅଧିକାରୀ, ୪ଜଣଙ୍କ ପେନସନ୍ ବନ୍ଦ

31/08/2019 at 7:10 PM

ଭୁବନେଶ୍ୱର ୩୧।୮: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣେଇଥିବା ‘ଜିରୋ ଟୋଲେରାନ୍ସ ’ନୀତିରେ ଶନିବାର ପୁଣି ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ଏହିକ୍ରମରେ ଚାକିରୀରୁ ଅବସର ନେଇସାରିଥିବା ୪ ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରିଦିଆଯାଇଛି। ବରଖାସ୍ତ ହୋଇଥିବା ଓ ପେନସନ୍ ବନ୍ଦ ହୋଇଥିବା ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ କୋର୍ଟଙ୍କ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ତ କୁଆରମୁଣ୍ଡା ତହସିଲର ଜୁନିୟର କ୍ଲର୍କ ସଞ୍ଜିତ କୁମାର ରାୟ, ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ, ସମ୍ବଲପୁର ଜିଲ୍ଲା ନାକଟୀ ଦେଉଳରେ କାର୍ଯ୍ୟରତ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଭେଟନାରୀ ଡାକ୍ତର ଭାଗିରଥୀ ବିଶ୍ୱାଳ,  ପଞ୍ଚାୟତି ରାଜ ବିଭାଗର ଢେଙ୍କାନାଳ କାମାକ୍ଷାନଗରରେ କାର୍ଯ୍ୟରତ ଥିବା ଜୁନିୟର ଇଞ୍ଜିନିୟର ବସନ୍ତ କୁମାର ପାତ୍ର, ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁତ୍ରା ବ୍ଲକ ପଞ୍ଚାୟତ ଏକଜ୍ୟୁକୁଟିଭ ଅଫିସର ତ୍ରିଲୋଚନ ସେଠ ଓ ବଣେଇ ବ୍ଲକର ପଞ୍ଚାୟତ ଏକଜ୍ୟୁକୁଟିଭ ଅଫିସର ଅଷ୍ଟମ ଚନ୍ଦ୍ର ପଟେଲ ଚାକିରୀରୁ ବରଖାସ୍ତ ହୋଇଛନ୍ତି।

ସେହିପରି ପେନସନ୍ ବନ୍ଦ ହୋଇଥିବା ୪ ଜଣ ଅବସରପ୍ରାପ୍ତ ଦୁର୍ନୀତିଗ୍ରସ୍ତ କର୍ମଚାରୀ ହେଲେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ଜିଏମ ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ ଚିଫ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟର  ପୂର୍ବତନ ଏଷ୍ଟାବ୍ଲିଷମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ମହାନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖ ଦିନ ୧୫ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ସୁବିଧା ଠପ କରିଥିଲେ। ଫଳରେ ଏପର୍ଯ୍ୟନ୍ତ ମୋଟ ୨୧ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଚାକିରୀରୁ ବିହିଷ୍କାର ହୋଇଥିବା ବେଳେ ୬ ଜଣ ଅବସରପ୍ରାପ୍ତ କର୍ମଚାରୀ ପେନସନ ହରାଇଛନ୍ତି।

   Related Posts