ଜମୁଇ ୧୪/୯: ବିହାରର ଜମୁଇରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଏଠାରେ ଶ୍ବଶୁର ଘର ଲୋକେ ଜଣେ ମହିଳାଙ୍କୁ ନୃଶଂସଭାବେ ପିଟିବା ଫଳରେ ଗର୍ଭରେ ଥିବା ୬ମାସର ଶିଶୁର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଜମୁଇର ତାନା ଇକେରିଆ ଗାଁର ବୋଲି କୁହାଯାଉଛି।
ପୀଡ଼ିତା ପ୍ରିୟଙ୍କା କୁମାରୀ ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କାଙ୍କ ବିବାହ ବର୍ଷେ ତଳେ ଧର୍ମବୀର ସହ ହୋଇଥିଲା। ମହିଳାଙ୍କ କହିବା ଅନୁସାରେ ବିବାହର ମାସେ ପରଠୁ ଶ୍ବଶୁର ଘର ଲୋକେ ତାଙ୍କୁ ଅତ୍ୟାଚାର ଦେବା ଆରମ୍ଭ କରିଥିଲେ। ଶାଶୁ ମଞ୍ଜୁ ଦେବୀ,ନଣନ୍ଦ ପୁନିତା ଦେବୀ ଏବଂ ସ୍ବାମୀ ଧର୍ମବୀର ପାସଓ୍ବାନ ତାଙ୍କୁ ନିର୍ଯାତନା ଦେଉଥିଲେ।
ସେପ୍ଟେମ୍ବର ୨ତାରିଖରେ ଅର୍ଥାତ୍ ଶନିବାର ସମସ୍ତେ ମିଶି ତାଙ୍କୁ ମାରିଥିଲେ। ଧର୍ମବୀର ତାଙ୍କ ପେଟରେ ଗୋଇଠା ମାରିବାରୁ ତାଙ୍କ ଗର୍ଭରେ ଥିବା ୬ମାସର ଶିଶୁର ମୃତ୍ୟୁ ହୋଇଥିଲା। ପ୍ରିୟଙ୍କା କହିଥିଲେ ଯେ ସେମାନେ କୌଣସି ଡାକ୍ତରଙ୍କୁ ଡାକିନଥିଲେ। ଜଣେ ଦାଇଙ୍କୁ ଡାକି ମୃତ ଶିଶୁକୁ ପେଟରୁ ବାହାର କରି ଦେଇଥିଲେ।
ପ୍ରିୟଙ୍କାଙ୍କ ବାପା ବୀରେନ୍ଦ୍ର ପାସଓ୍ବାନ କହିଛନ୍ତି ଯେ ସୂଚନା ମିଳିବାରୁ ସେ ଇକେରିଆ ଗାଁ ପହଞ୍ଚିଥିଲେ ଏବଂ ମୃତ ଶିଶୁକୁ ନେଇ ମହିଳା ଥାନା ଯାଇଥିଲେ। ମହିଳା ଥାନାରେ ବିଳମ୍ବିତ ସନ୍ଧ୍ୟାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ୍ ଏହାର ତଦନ୍ତରେ ଲାଗି ପଡ଼ିଛି।
ମହିଳା ଥାନା ଅଧିକାରୀଙ୍କ କହିବା ଅନୁସାରେ ଖୁବ୍ ଶୀଘ୍ର ଯୌତୁକ ଲୋଭୀ ସ୍ବାମୀ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ।