ନାବାଳକ ସାଜିଲେ ହତ୍ୟାକାରୀ : ଏହି କାରଣ ପାଇଁ ଯୁବକଙ୍କୁ କଲେ ହତ୍ୟା, ୬ ଗିରଫ, ୨ ଫେରାର

Published By : Prameya-News7 Bureau | December 27, 2020 IST

ଦିଲ୍ଲୀ ୨୭।୧୨: ରାଜଧାନୀ ଦିଲ୍ଲୀର ଦ୍ବାରକା ଜିଲ୍ଲାର ଉତ୍ତମନଗର ହତ୍ୟା ଘଟଣାରେ ପୋଲିସ ୬ ନାବାଳକଙ୍କୁ ଗିରଫ କରିଛି । ଏବେବି ଦୁଇ ନାବାଳକ ଫେରାର ଅଛନ୍ତି । ପୂର୍ବ ଶତ୍ରୁତାକୁ ନେଇ କରାଯାଇଥିବା ଏହି ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ପିସ୍ତଲ ଜବତ କରିଛି ।

ପୋଲିସର ସୂଚନା ଅନୁସାରେ, ଡିସେମ୍ବର ୨୨ ତାରିଖ ରାତିରେ ଉତ୍ତମନଗର ଅଞ୍ଚଳରେ ୩୪ ବର୍ଷ ବୟସ୍କ ପ୍ରଦୀପଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ୭ରୁ ୮ ଜଣ ମିଶି ତାଙ୍କୁ ହତ୍ୟା କରିଛନ୍ତି । ସୁରାକ୍ ପାଇ ପୋଲିସ ଶିବ ବିହାରରୁ ୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ପିସ୍ତଲ ମଧ୍ୟ ଜବତ କରାଯାଇଥିଲା । ସେମାନଙ୍କୁ ପଚରାଉଚରା କରି ସେମାନଙ୍କର ଅନ୍ୟ ୩ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଜଣାପଡିଥିଲା ଯେ, ଜଣେ ନାବାଳକ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ସଂପୃକ୍ତ ନାବାଳକଙ୍କର ମୃତ ପ୍ରଦୀପଙ୍କ ସହ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ନାବାଳକ ପ୍ରଦୀପଙ୍କ ହତ୍ୟା ପାଇଁ ତାଙ୍କର ୭ ସାଙ୍ଗଙ୍କୁ ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ କରିଥିଲେ । ୨୨ ତାରିଖ ରାତିରେ ସଂଘବଦ୍ଧ ଭାବେ ପ୍ରଦୀପଙ୍କୁ ହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.