ଦୂଷିତ ପାଣି ପିଇ ଚାଲିଗଲା ୬ ଜଣଙ୍କ ଜୀବନ, ଅନେକ ଗୁରୁତର ହସ୍ପିଟାଲରେ ଭର୍ତ୍ତି : ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 05, 2021 IST

ବେଙ୍ଗାଲୁରୁ ୦୫/୧୦ : କର୍ଣ୍ଣାଟକର ବିଜୟନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଦୂଷିତ ପାଣି ପିଇ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରେ ଅନେକ ଲୋକ ଗୁରୁତର ହୋଇପଡିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମୋଇ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ତଦନ୍ତ ନିର୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଜୟନଗର ଜିଲ୍ଲା ମକରବ୍ବୀ ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୬ ଜଣ ବ୍ୟକ୍ତି ଦୂଷିତ ପାଣି ପିଇ ଜୀବନ ହାରିଛନ୍ତି । ଅନେକ ଲୋକ ଗୁରୁତର ହୋଇ ପଡିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇପଡିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ଜଣାପଡିନଥିବା ବେଳେ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମୋଇ ଘଟଣାକୁ ଗୁରୁତର ସହ ନେଇ  ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ଘଟଣାର ଯାଞ୍ଚ ପାଇଁ ମୁନୀଶ ମୌଦଗିଲଙ୍କୁ ଦାୟିତ୍ବ ଦିଆଯାଇଛି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମୋଇ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଯେ, ଦୂଷିତ ପାଣି ପିଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହା ଏକ ଗମ୍ଭୀର ମୁଦ୍ଦା ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ପାଣିରେ କଣ ମିଶାଯାଇଥିଲା କିମ୍ବା ଅନ୍ୟ କିଛି କାରଣ ରହିଛି ସେ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.