ଆଉ ୬ ଦୁର୍ନୀତିଖୋର ଚାକିରୀରୁ ହେଲେ ବିଦା : ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 04, 2019 IST

ଭୁବନେଶ୍ବର ୪/୧୧: ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ୬ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୫ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ଗତ ଦୁଇ ମାସ ମଧ୍ୟରେ ୪୪ଜଣ ଅଧିକାରୀଙ୍କୁ ବରଖାସ୍ତ କରାଯାଇଥିବାବେଳେ ୧୧ଜଣଙ୍କ ପେନସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ ୧୦ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସ୍ଥାୟୀ ଭାବରେ ପେନସନ ବନ୍ଦ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ଅବସରପ୍ରାପ୍ତ ଓଏସ ଅଫିସର। ସେମାନେ ହେଲେ (୧) ନବୀନ ସେଠ ଅବସରପ୍ରାପ୍ତ ଓଏସ୍ ଅଫିସର ଓ ପୂର୍ବତନ ନିର୍ବାହୀ ଅଧିକାରୀ, ବରଗଡ଼ ମ୍ୟୁନସିପାଲଟି, (୨) ସନାତନ ସେଠୀ ଅବସରପ୍ରାପ୍ତ ଓଏସ୍ ଅଧିକାରୀ ଓ ପୂର୍ବତନ ବିଡିଓ,ଖଣ୍ଡପଡ଼ା ବ୍ଲକ୍ ନୟାଗଡ଼,(୩) ପୁରନ୍ଦର ପୂଜାରୀ ଅବସରପ୍ରାପ୍ତ ଓଏସ୍ ଅଧିକାରୀ ଓ ପୂର୍ବତନ ଆରଟିଓ, କୋରାପୁଟ ,(୪) ନିରଞ୍ଜନ ଜେନା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ,ପୂର୍ତ୍ତ ବିଭାଗ,ଆର.ଡବ୍ଲ୍ୟୁ ସବଡିଭିଜନ,ବଣାଇ ସୁନ୍ଦରଗଡ଼, ଏବଂ (୫) ପିତାମ୍ବର ପ୍ରତିହାରୀ,ପୂର୍ବତନ ଜୁନିୟର ଇଞ୍ଜିନିୟର,ଖୁଣ୍ଟା ବ୍ଲକ୍ ମୟୁରଭଞ୍ଜ।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ (୧) ଶ୍ରୀ ରବୀନ୍ଦ୍ର କୁମାର ଦାସ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ,କୁଡୁମୁଲା ବ୍ଲକ୍,ମାଲକାନଗିରି, (୨) ଶ୍ରୀ ବୁଦ୍ଧିରାମ ଶୁନିଆନି,ଜୁନିୟର ଇଞ୍ଜିନିୟର,ପଞ୍ଚାୟତି ରାଜ ବିଭାଗ ଧାନକୁଡ଼ା ବ୍ଲକ୍,ସମ୍ବଲପୁର,(୩) ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର ପ୍ରୋଗ୍ରେସ ଆସିଷ୍ଟାଣ୍ଟ ,ପାପଡ଼ାହାଣ୍ଡି ବ୍ଳକ୍,ନବରଙ୍ଗପୁର,(୪) ଶ୍ରୀ ହେମନ୍ତ କୁମାର ପଣ୍ଡା ଫରେଷ୍ଟ ରେଞ୍ଜ ଅଫିସର,ଜଙ୍ଗଲ ବିଭାଗ ଓ୍ବାର୍କିଙ୍ଗ ପ୍ଲାନ୍ ଅଫିସ ଅନୁଗୁଳ,(୫) ଶ୍ରୀ ପୃଥ୍ବୀରାଜ ଲେଙ୍କା ସହକାରୀ ନିର୍ବାହୀ ଯନ୍ତ୍ରୀ ,ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ ବ୍ରହ୍ମପୁର ଓ (୬) ଶ୍ରୀ ସୁଶୀଲ କୁମାର ସେଠ ଆସିଷ୍ଟାଣ୍ଡ ଇଞ୍ଜିନିୟର,ଜଳସମ୍ପଦ ବିଭାଗ,ହାଟଡିହି ବ୍ଲକ୍ କେନ୍ଦୁଝର।

ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.