ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ଘଟଣା : ୬ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ଜଣେ ମହିଳାକୁ ୩ବର୍ଷ ଜେଲ୍ଦଣ୍ଡ
1/11/2019 at 10:26 AM

ବଡବିଲ ୧।୧୧: ଗତ ୨୦୧୫ ମସିହାରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଲହଣ୍ଡା ମୁଣ୍ଡାସାହିରେ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଘଟଣାରେ ସଂପୃକ୍ତ ୬ ଜଣ ଆସାମୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଏଡିଜେ । ୨୪ ଜଣଙ୍କ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ଅତରିକ୍ତ ଜିଲ୍ଲା ଦୌରା ଜଜ୍ ଦଳଗୋବିନ୍ଦ ବାରିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ୬ ଜଣ ହେଲେ, ରତ୍ନା ମୁଣ୍ଡା, ମାନା ମୁଣ୍ଡା, ବାଗୁନ ମୁଣ୍ଡା, ଉମା ମୁଣ୍ଡା, ତୁମ୍ବା ମୁଣ୍ଡା ଓ ଇଶ୍ବର ମୁଣ୍ଡା । ସେହିପରି ଘଟଣାରେ ସଂପୃକ୍ତ ଜଣେ ମହିଳା ପାଣ୍ଡରି ମୁଣ୍ଡାକୁ ଓ ବିଚ୍ ହଂଟିଙ୍ଗରେ ଦୋଷୀ ସାବ୍ୟସ୍ତ କରି ସାଢେ ୩ ବର୍ଷ ସଜ୍ଜା ଶୁଣାଇଛନ୍ତି କୋର୍ଟ ।
ଗତ ୨୦୧୫ ମସିହା ଜୁଲାଇ ୧୩ ତାରିଖ ରାତିରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା । ଯୋଡ଼। ଥାନା, ଲହଣ୍ଡା ମୁଣ୍ଡାସାହିର ଗୁରା ମୁଣ୍ଡାଙ୍କ ପରବାର ଶୋଇଥିବା ବେଳେ, ରାତି ଅଧରେ ଘରେ ପଶି ସଂଘବଦ୍ଧ ଭାବରେ ଟାଙ୍ଗିଆ, ଭୁଜାଲି ଓ ଅନ୍ୟ ଧାରୁଆ ଅସ୍ତ୍ରରେ ଗୁରାଙ୍କ ପରିବାରକୁ ଆକ୍ରମଣ ହୋଇଥିଲା । ପରିବାରର ସମସ୍ତ ୮ ଜଣଙ୍କୁ ନିର୍ମମ ଭାବରେ ହାଣି ପକାଇଥିଲେ ଦୃର୍ବୃତ୍ତ । ଆକ୍ରମଣରେ ଗୁରା ମୁଣ୍ଡା, ସ୍ତ୍ରୀ ବୁଧୁନୀ, ଦୁଇ ଝିଅ ସୋମବାରୀ, ନମିତା ଓ ଦୁଇ ପୁଅ ସୁନୀଲ ଓ କୁଶ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟ ଦୁଇ ପୁଅ ଗଣିତ ଓ ସମ୍ଭୁ ଗୁରୁତର ଆହତ ହୋଇଥିଲେ । ଗୁଣି ଗାରେଡି ସନ୍ଦେହରେ ଏହି ବର୍ବରଚିତ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥ । ପୋଲିସ ଘଟଣାର ତଦନ୍ତ କରି ସେତେବଳେ ଜଣେ ନାବାଳକ ସମେତ ୧୦ଜଣଙ୍କୁ ଗିରଫ କରିଥିଲା । କେସଟିକୁ ଗୁରୁତ୍ବ ଦେଇ ଏହାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇ ତଦନ୍ତ କରାଯାଇଥିଲା ।