ପ୍ରଥମେ ନିର୍ଦ୍ଦୟଭାବେ ପିଟିଲେ ତା‘ପରେ କଳା ବୋଳିଦେଲେ : ମାଙ୍କଡ଼ ସହ ଅମାନୁଷିକତା କରି ଜେଲ୍ ଗଲେ ୬ଜଣ
19/07/2020 at 8:33 AM

ପିଲିଭୀତର ମେଥୀ ସୈଦୁଲ୍ଲାଗଞ୍ଜ ଗାଁରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଏଠାରେ କିଛି ଗାଁ ଲୋକ ଏକ ମାଙ୍କଡ଼କୁ ଜବରଦସ୍ତି ଧରି ପିଟିଛନ୍ତି। ଏହା ପରେ ତାକୁ କଳା ରଙ୍ଗ ବୋଳି ଦେଇଛନ୍ତି। ମାଙ୍କଡ଼ ସହ ହୋଇଥିବା ଏହି ବର୍ବରତାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।

ଭିଡିଓରେ ପରିଷ୍କାର ଭାବେ ଦେଖାଯାଉଛି ଯେ ମାଙ୍କଡ଼କୁ ରଶିରେ ବନ୍ଧା ଯାଇଥିଲା ଏବଂ ତା’ର ତଣ୍ଟି ଚିପା ଯାଇଥିଲା। ସେ ଦୌଡ଼ିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଦୌଡ଼ି ପାରୁନଥିଲା। ଲୋକେ ତାକୁ ବହୁତ ଅତ୍ୟାଚାର କରିଥିଲେ ଏବଂ ଜୋରେ ହସିଥିଲେ। ତା’ପରେ ମାଙ୍କଡ଼ ଦେହରେ କଳା ରଙ୍ଗ ବୋଳିଥିଲେ। କିନ୍ତୁ ଏହି ସମୟରେ ମାଙ୍କଡ଼ଟି କୌଣସି ମତେ ନିଜ ଜୀବନ ବଞ୍ଚାଇ ଖସି ପଳାଉଛି।

ଏହି ଭିଡିଓଟି ୨ କିମ୍ବା ୩ସପ୍ତାହ ତଳର ବୋଲି କୁହାଯାଉଛି। ଯେତେବେଳେ ଏହି ଭିଡିଓର ଯାଞ୍ଚ କରାଯାଇଥିଲା ସେତେବେଳେ ଜଣା ପଡ଼ିଥିଲା ଯେ ଏହା ଜୁଲାଇ ୧୩ର। ଭିଡିଓ ଭାଇରାଲ୍ ହେବା ପରେ ପ୍ରଶାସନ ସକ୍ରିୟ ହୋଇଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ୬ଅଭିଯୁକ୍ତଙ୍କ ଉପରେ ୬୦ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଥିଲା। ବର୍ତ୍ତମାନ ଭିଡିଓଟି ଭାଇରାଲ୍ ହେଉଛି।

ମାଙ୍କଡ଼ ସହ କରାଯାଇଥିବା ବର୍ବରତା ପାଇଁ ଲୋକେ ତାତି ଯାଇଛନ୍ତି। ସୋସିଆଲ୍ ମିଡିଆରେ ଏପରି ଅସାମାଜିକ ତତ୍ତ୍ବ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି କରାଯାଉଛି। ଦୋଷୀଙ୍କୁ କୌଣସିମତେ ଛଡ଼ାଯିବ ନାହିଁ।
ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ତେଲେଙ୍ଗାନାରେ ଭାଇରାଲ୍ ହୋଇଥିଲା। ଯେଉଁଠାରେ କିଛି ଲୋକ ମାଙ୍କଡ଼କୁ ପିଟିଥିଲେ। ଅନ୍ୟ ମାଙ୍କଡ଼ ସହ ଲଢ଼ିବା ପାଇଁ ବାଧ୍ୟ କରାଯାଇଥିଲା। ଏହାପରେ ତାକୁ ମାରି ଗଛରେ ଟାଙ୍ଗି ଦିଆଯାଇଥିଲା।