ନବରାତ୍ରିର ପଞ୍ଚମ ଦିନ : ସନ୍ତାନ ସୁଖ ପାଇଁ କରନ୍ତୁ ମାତା ସ୍କନ୍ଦମାତାଙ୍କ ଆରାଧନା

Published By : Prameya-News7 Bureau | October 21, 2020 IST

ନବରାତ୍ରିରେ ପଞ୍ଚମ ଦିନ ମା ସ୍କନ୍ଦମାତାଙ୍କୁ ସମର୍ପିତ ହୋଇଥାଏ। ଅକ୍ଟୋବର ୨୧ତାରିଖରେ ଶାରଦୀୟ ନବରାତ୍ରିର ପଞ୍ଚମ ଦିନ। ଏହି ଦିନ ଦେବୀ ଦୁର୍ଗାଙ୍କ ସ୍କନ୍ଦମାତାଙ୍କ ପୂଜା ଆରାଧନା ହୋଇଥାଏ। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟ ନାମ ସ୍କନ୍ଦ। ପୌରାଣିକ କଥା ଅନୁସାରେ ତାରକାସୁର ନାମକ ରାକ୍ଷସ ଥିଲା। ଯାହାର ମୃତ୍ୟୁ କେବଳ ଶିବ ପୁତ୍ରଙ୍କ ଦ୍ବାରା ସମ୍ଭବ ଥିଲା। ସେତେବେଳେ ମାତା ପାର୍ବତୀ ନିଜ ପୁତ୍ର ଭଗବାନ ସ୍କନ୍ଦଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେବା ହେତୁ ସ୍କନ୍ଦମାତାଙ୍କ ରୂପ ନେଇଥିଲେ ଏବଂ ଭଗବାନ ସ୍କନ୍ଦଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେଇଥିଲେ। ସ୍କନ୍ଦମାତାଙ୍କଠୁ ଯୁଦ୍ଧ ପ୍ରଶିକ୍ଷଣ ନେବା ପଶ୍ଚାତ୍ ଭଗବାନ ସ୍କନ୍ଦ ତାରକାସୁରଙ୍କ ବଧ କରିଥିଲେ।

ମା ଦୁର୍ଗାଙ୍କ ସ୍ବରୂପ : ଦୁର୍ଗାଙ୍କ ଏହି ପଞ୍ଚମ ସ୍ବରୂପକୁ ସ୍କନ୍ଦମାତା କୁହାଯାଇଥାଏ। ଭଗବାନ ସ୍କନ୍ଦ ଛୋଟପିଲା ରୂପରେ ମାତାଙ୍କ କୋଳରେ ବିରାଜିତ। ମାତାଙ୍କ ଏହି ଦିନ ସାଧକଙ୍କ ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ। ସ୍କନ୍ଦ ମାତୃ ସ୍ବରୂପିଣୀ ଦେବୀଙ୍କ ଚାରି ଭୁଜା। ସେ ଡାହାଣ ଉପର ଭୁଜାରେ ଭଗବାନ ସ୍କନ୍ଦଙ୍କୁ କୋଳରେ ଧରିଛନ୍ତି ଏବଂ ଡାହାଣ ତଳ ଭୁଜା ଯାହା ଉପରକୁ ଉଠିଛି ସେଥିରେ କମଳ ପୁଷ୍ପ ଧରିଛନ୍ତି। ମା’ଙ୍କ ବର୍ଣ୍ଣ ପୂର୍ଣ୍ଣତଃ ଶୁଭ୍ର। ତାଙ୍କୁ ବିଦ୍ୟାବାହିନୀ ଦୁର୍ଗା ଦେବୀ ମଧ୍ୟ କୁହାଯାଇଥାଏ।

ଶାସ୍ତ୍ରରେ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ ମଧ୍ୟ କୁହାଯାଇଛି। ଥରେ ଇନ୍ଦ୍ର,କାର୍ତ୍ତିକେୟଙ୍କ ଉପହାସ କରିବା ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ଆପଣ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହେଁ। ଏହା ଦ୍ବାରା କୁମାର କାର୍ତ୍ତିକେୟ ବହୁତ ଦୁଃଖିତ ହୋଇଥିଲେ। ମାତା କାର୍ତ୍ତିକେୟଙ୍କ ଦୁଃଖ ବୁଝିଥିଲେ ଏବଂ ସିଂହ ଉପରେ ଚଢ଼ି ପ୍ରକଟ ହୋଇଥିଲେ। ମାଆ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ତାଙ୍କୁ ଆଦର କରିଥିଲେ।

ମାଆ ସ୍କନ୍ଦମାତାଙ୍କ ସାଧନା ଦ୍ବାରା କେବଳ ସନ୍ତାନ ସୁଖ ନୁହେଁ ବରଂ ରୋଗ ମୁକ୍ତିର ଆଶୀର୍ବାଦ ପ୍ରାପ୍ତ କରାଯାଇପାରେ। ଏପରି କ୍ଷେତ୍ରରେ ସନ୍ତାନ ସୁଖର ଇଚ୍ଛା ସହ ଯେଉଁ ବ୍ୟକ୍ତି ମାଆ ସ୍କନ୍ଦମାତାଙ୍କ ଆରାଧନା କରିବାକୁ ଚାହୁଁଛନ୍ତି ତାଙ୍କୁ ନବରାତ୍ରିର ପଞ୍ଚମୀ ତିଥିରେ ଲାଲ ବସ୍ତ୍ରରେ ସୁହାଗ ଚିହ୍ନ ସିନ୍ଦୂର,ଲାଲ ଚୁଡ଼ି,ଲାଲ ବିନ୍ଦି ତଥା ସେଓ ଏବଂ ଲାଲ ଫୁଲ ଏବଂ ଚାଉଳ ବାନ୍ଧି ମାଙ୍କ କୋଳ ଭରିବା ଉଚିତ୍।

ନବରାତ୍ରିର ପଞ୍ଚମ ଦିନ ଏହି ମନ୍ତ୍ର ଜପ କରିବା ଉଚିତ୍।

ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତ କରଦ୍ବୟା।

ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦ ମାତା ଯଶସ୍ବିନୀ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.