ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ କହିଲେ ୫ଟି ସଚିବ ପାଣ୍ଡିଆନ, ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଚିହ୍ନଟ କରି ଯାଞ୍ଚ କର

Published By : Prameya-News7 Bureau | April 04, 2020 IST

ଭୁବନେଶ୍ଵର ୦୪।୦୪: ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ମରକଜରେ ତବଲିଗି ଜମାତଙ୍କ ଧାର୍ମିକ ସଭା ସମଗ୍ର ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ତବଲିଗି ଜମାତିଙ୍କ ପାଇଁ ଦେଶରେ କରୋନା ଭାଇରସ୍ ବିରୋଧୀ ଲଢେଇକୁ ଶକ୍ତ ଧକ୍କା ଲାଗିଛି। ତବଲିଗି ଜମାତିଙ୍କ ପାଇଁ ଦେଶର ପ୍ରାୟତଃ ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏହା ମଧ୍ୟରେ ୫-ଟି ସଚିବ ଭିକେ ପାଣ୍ଡିଆନ ଶୁକ୍ରବାର ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିଜାମୁଦ୍ଦିନ ମରକଜରୁ ଫେରିଥିବା ଲୋକଙ୍କୁ ଟ୍ରେସ୍ କରି ପରୀକ୍ଷଣ କରିବାକୁ କହିଛନ୍ତି।  

ଜିଲ୍ଲାପାଳ ଏବଂ ଏସପିଙ୍କୁ ଏହି ଦିଗରେ ତ୍ଵରିତ ପଦକ୍ଷେପ ନେବା କହି ପାଣ୍ଡିଆନ କହିଛନ୍ତି ଯେ, ନିଜାମୁଦ୍ଦିନ ମରକଜରୁ ଫେରିଥିବା ତବଲିଗି ଜମାତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଏବେ ରାଜ୍ୟ ଓ ଦେଶ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜାମୁଦ୍ଦିନ ମରକଜରୁ ଫେରିଥିବା ଲୋକଙ୍କୁ ୧୦୪ରେ କଲ କରି ଡାକ୍ତରୀ ପରୀକ୍ଷା କରାଇବାକୁ ଅପିଲ୍ କରିଛନ୍ତି। ଯିଏ ନିଜର ଯାଞ୍ଚ କରାଇବାକୁ ଚାହିଁବେ ରାଜ୍ୟ ସରକାର ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବା ସହ ତାଙ୍କ ପରିବାରର ସଦସ୍ୟଙ୍କ ପ୍ରତି ଧ୍ୟାନ ଦିଆଯିବ ବୋଲି ପାଣ୍ଡିଆନ କହିଛନ୍ତି।

ନିଜାମୁଦ୍ଦିନ ମରକଜରୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପ୍ରବର୍ତ୍ତାଇବା ଜନ ସାଧାରଣ, ପୋଲିସ ଏବଂ ସ୍ଵାସ୍ଥ୍ୟ ପ୍ରଶାସନର ସଂପ୍ରତି ସବୁଠୁ ବଡ କାମ।

ଏହା ସହିତ ଜିଲ୍ଲାପାଳ  ଓ ଏସପି ସେମାନଙ୍କ ସ୍ଥାନୀୟ ଅଞ୍ଚଳର ଧାର୍ମିକ ଗୁରୁଙ୍କୁ ଅନୁରୋଧ କରନ୍ତୁ ଯେ ସେମାନେ ନିଜାମୁଦ୍ଦିନ ଫେରନ୍ତା ଲୋକଙ୍କୁ ସାମ୍ନାକୁ ଆସିବାକୁ ପ୍ରବର୍ତ୍ତାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି। ସେ ପ୍ରଶାସନ ଓ ପୋଲିସଙ୍କୁ ଅନୁରୋଧ କରିଛନ୍ତି ଯେ, ନିଜର ସମସ୍ତ ଚ୍ୟାନେଲ୍ ଉପଯୋଗ କରି ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରନ୍ତୁ ଏବଂ ଡାକ୍ତରୀ ପରୀକ୍ଷା ପାଇଁ ସେମାନଙ୍କୁ ଆତ୍ମ ବିଶ୍ଵାସ ଦିଅନ୍ତୁ।

ସ୍ଵାସ୍ଥ୍ୟ ଓ ୧୦୪ କୁ ଅଧିକ ସଂପ୍ରସାରିତ କରାଯିବ ଏବଂ ପ୍ରତିଟି କଲ୍ ଉପରେ ପଦକ୍ଷେପ ନିଆଯିବ। ଏଥିରେ କୌଣସି ପ୍ରକାରର ଅବହେଳା କିମ୍ବା ବିଳମ୍ବ କଲେ ପରିବାର ସହିତ ରାଜ୍ୟ ମଧ୍ୟ ବିପଦରେ ପଡିପାରେ। ଆଗାମୀ ୪୮ ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ ଏବଂ ଆମେ ଏହାର ଦୃଢ ମୁକାବିଲା କରି ପାରିବା ବୋଲି ପାଣ୍ଡିଆନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.