କୁମ୍ଭରେ ବେକାବୁ କରୋନା : ୨୪ ଘଣ୍ଟାରେ ଚିହ୍ନଟ ହେଲେଣି ୫୯୨ ଆକ୍ରାନ୍ତ, ଆହୁରି ବଢିବ ସଂକ୍ରମିତଙ୍କ ସଂଖ୍ୟା !

Published By : Prameya-News7 Bureau | April 17, 2021 IST

ହରିଦ୍ବାର ୧୭/୦୪ : କରୋନା ସଂକ୍ରମଣ କେତେ ଯେ ଭୟଙ୍କର ହୋଇପାରେ ଏବଂ ଏହାକୁ ବେଖାତିର କଲେ ସ୍ଥିତି କଣ ହୁଏ ତାହାର ସଦ୍ୟତମ ଉଦାହରଣ ହେଉଛି ହରିଦ୍ବାରର କୁମ୍ଭ ମେଳା । କୁମ୍ଭ ମେଳାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ମାତ୍ର ଗୋଟିଏ ଦିନରେ ସେଠାରୁ ପ୍ରାୟ ୭୮ଟି ପଜିଟିଭ କେସ୍‌ ସାମ୍ନାକୁ ଆସିଛି । କେବଳ ନିରଞ୍ଜନ ଆଖଡାରେ ଏକତ୍ରିତ ହୋଇଥିବା ସାଧୁଙ୍କ ମଧ୍ୟରୁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

ଏହା ବାଦ ହରିଦ୍ବାରର ଅନ୍ୟ ଆଖଡାମାନଙ୍କରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ହରିଦ୍ବାରରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ୍‌କେ ଝା କହିଛନ୍ତି ଯେ, ଆଖଡାଶାଳ ମାନଙ୍କରେ ନମୂନା ସଂଗ୍ରହକୁ ବ୍ୟାପକ କରାଯାଉଛି । ଅନ୍ୟ ସାଧୁମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଉଛି ।

ଏହା ପୂର୍ବରୁ କୁମ୍ଭ ମେଳାରେ ଭିଡକୁ ଦୃଷ୍ଟିରେ ରଖି ସତର୍କ ଜାରି କରାଯାଇଥିଲା । କୁମ୍ଭ ମେଳାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଯାଚିକା ଆବେଦନ କରାଯାଇଥିଲା । ଯାଚିକାରେ ଆବେଦନ କରାଯାଇଥିଲା ଯେ, କୁମ୍ଭରେ ଏକତ୍ରିତ ଲୋକମାନଙ୍କୁ ତୁରନ୍ତ ହଟାଯାଉ ଏବଂ ସେମାନଙ୍କ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଉ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ଜବଲପୁରରେ ଥିବା ନରସିଂହ ମନ୍ଦିର ମୁଖ୍ୟ ପୂଜାରୀ ଜଗତଗୁରୁ ସ୍ବାମୀ ଶ୍ୟାମ ଦେବାଚାର୍ଯ୍ୟ ମହାରାଜ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ସେ ମଧ୍ୟ କୁମ୍ଭ ମେଳାରେ ସାମିଲ ହେବାକୁ ହରିଦ୍ବାର ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.