ବୟସ ମାତ୍ର ଏକ ସଂଖ୍ୟା, ୫୭ ବର୍ଷରେ ମାଟ୍ରିକ ପାସ୍ କଲେ ଆଶାଦିଦି

Published By : Prameya-News7 Bureau | June 27, 2021 IST

ଭଦ୍ରକ, ୨୭/୦୬: ଦୃଢ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ । ଏହା ନିଃସନ୍ଦେହ  । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ନିଜର ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଜଣେ ଆଶା ଦିଦି । ଲୋକଙ୍କ ସେବା କରିବା ସହ ନିଜ କର୍ମମୟ ଜୀବନରେ ହାର ମାନିନାହାନ୍ତି ୫୭ ବର୍ଷୀୟ ମହିଳା । ମହିଳା ଜଣଙ୍କ ଆଶା କର୍ମଚାରୀ ହୋଇ ମଧ୍ୟ ବୟସର ଅପରାହ୍ନରେ  ଶିକ୍ଷା କ୍ଷେତ୍ରରେ ମନୋନିବେଶ କରି ପରୀକ୍ଷାରେ କୃତକାର୍ଯ୍ୟ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱମୀ ତାଙ୍କ ଠାରୁ ଅଲଗା ହୋଇଯାଇଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି ଚଳି ଆସୁଛନ୍ତି । ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ସରକାରଙ୍କ ପରିବର୍ତ୍ତୀତ ନିୟମ ଅନୁସାରେ ଜଣେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀ କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା ।

ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ଚଳିତବର୍ଷ ୫୭ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏହାପରେ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିବାବେଳେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଥିଲେ । ଦୃଢ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି । ନିଜ କାର୍ଯ୍ୟରେ ଅବହେଳା ନ କରି କୋଭିଡ ସମୟରେ କାର୍ଯ୍ୟ ଜାରି ରଖିଥିଲେ ।

କୋଭିଡ ସଚେତନତା ଠାରୁ ଆରମ୍ଭ କରି ଗ୍ରାମରେ ଗର୍ଭବତୀଙ୍କ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଉଥିଲେ । ତା ପରେ ମଧ୍ୟ ବଳକା ସମୟରେ ନିଜ ପାଠ ପଢିବା କାର୍ଯ୍ୟ ଜାରି ରଖିଥିଲେ । ପ୍ରଥମେ ପରୀକ୍ଷା ଦେବାକୁ ସଙ୍କୋଚ ଲାଗୁଥିଲେ ମଧ୍ୟ ପୁଅ, ବୋହୁଙ୍କ ପ୍ରେରଣାରେ ପାଠ ପଢ଼ି ପରୀକ୍ଷା ଦେଇଥିଲେ ସ୍ଵର୍ଣଲତା । ଏହି ବୟସରେ ମେଟ୍ରିକ ପାସ କରି ଏକ ସ୍ଵତନ୍ତ୍ରତା ଦେଖାଇଛନ୍ତି ସେ ।

ତେବେ ଯେତେବେଳେ ଲୋକେ କହନ୍ତି ଯେ ବୟସ ଅଧିକ ହେଲେ କାର୍ଯ୍ୟ କଷ୍ଟସାଧ୍ୟ ହୁଏ । ସେହି ମାନଙ୍କ ପାଇଁ ସ୍ଵର୍ଣଲତା ହେଉଛନ୍ତି ଉଦାହରଣ ଓ ୫୭ ବର୍ଷରେ ମେଟ୍ରିକ ପାସ କରି ଏହା ପ୍ରମାଣିତ କରିଛନ୍ତି ଯେ ବୟସ କେବଳ ମାତ୍ର ଏକ ସଂଖ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.