ସରକାରୀ ସେଲଟର ହୋମ୍‌ରେ ୫୭ ବାଳିକା କରୋନା ପଜିଟିଭ୍, ସେମାନଙ୍କ ମଧ୍ୟରୁ ୭ ଗର୍ଭବତୀ

Published By : Prameya-News7 Bureau | June 22, 2020 IST

କାନପୁର ୨୨।୬: କାନପୁରର ସରକାରୀ ସେଲଟର ହୋମ୍ ରେ ରହୁଥିବା ୫୭ ବାଳିକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବାଳିକାମାନଙ୍କୁ ଚିକିତ୍ସା ପାଇଁ ରାମା ମେଡିକାଲ କଲେଜର କୋଭିଡ-୧୯ ୱାର୍ଡରେ ରଖାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ବ୍ରହ୍ମା ଦେବ ରାମ ତିୱାରୀ କହିଛନ୍ତି ଯେ, ଯାଞ୍ଚ ସମୟରେ ୭ ଜଣ ଝିଅ ଗର୍ଭବତୀ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୫ ଜଣ କରୋନା ସଂକ୍ରମିତ । ଦୁଇ ଜଣଙ୍କ କରୋନା ନେଗେଟିଭ୍ ଆସିଛି ।

ଏହି ସମସ୍ତ ଗର୍ଭବତୀ ଝିଅମାନଙ୍କୁ ଜଜା-ବଚ୍ଚା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କରୋନା ସହିତ ଝିଅମାନଙ୍କର ଗର୍ଭଧାରଣ ଯୋଗୁଁ ପ୍ରଶାସନ ଚିନ୍ତାରେ ପଡିଯାଇଛି । ରାଜ୍ୟ ସେଲଟର ହୋମ୍ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛି । ସ୍ବରୂପ ନଗରରେ ଅବସ୍ଥିତ ସରକାରୀ ସେଲଟର ହୋମ୍ କୁ ସିଲ୍ କରାଯାଇଛି । ତେବେ ଜିଲ୍ଲା ମାଜିଷ୍ଟ୍ରେଟ୍ ବ୍ରହ୍ମା ଦେବ ରାମ ତିୱାରୀ କହିଛନ୍ତି ଯେ, ଏହି ୭ଜଣ ଝିଅ ସେଲଟର ହୋମକୁ ଆସିବା ପୂର୍ବରୁ ମଧ୍ୟ ଗର୍ଭବତୀ ଥିଲେ ।

ଗର୍ଭବତୀ ବାଳିକାମାନଙ୍କ ହିଷ୍ଟ୍ରି ଜାଣିବା ପାଇଁ ଡାକ୍ତରମାନେ ଅଧିକାରୀଙ୍କ ନିକଟକୁ ଯାଇଛନ୍ତି । କାନପୁର ଏସଏସପି ଦୀନେଶ କୁମାର ପି ଏହି ମାମଲାର ସୂଚନା ଦେଇଛନ୍ତି । ସମସ୍ତ ଝିଅଙ୍କୁ ସରକାରୀ ଚିକିତ୍ସା ଯୋଗାଇ ଦିଆଯାଉଛି । ସେଲଟର ହୋମ୍ କୁ ସିଲ୍ ହୋଇଥିବାରୁ ସମସ୍ତ ଡକ୍ୟୁମେଣ୍ଟ ଉପଲବ୍ଧ ନାହିଁ ବୋଲି ଏସଏସପି କହିଛି । ଅଧିକାରୀଙ୍କ କହିବା ଅନୁସାରେ ସେଲଟର ହୋମ୍ ରେ ରହୁଥିବା ଅଧିକାଂଶ ଝିଅ ଏଠାରେ ପାକ୍ସୋ ଆକ୍ଟ ଅଧୀନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.