୧୦ହଜାର ଟଙ୍କାର ବନ୍ୟା ରିଲିଫ ପାଇବା ପାଇଁ ଛିଡ଼ା ହୋଇଥିଲେ ଲାଇନରେ : ଦେଖୁ ଦେଖୁ ଟଳି ପଡ଼ିଲେ ୫୬ବର୍ଷୀୟ ମହିଳା

Published By : Prameya-News7 Bureau | November 19, 2020 IST

ହାଇଦ୍ରାବାଦ ୧୯/୧୧: ତେଲେଙ୍ଗାନା ସରକାର ଦ୍ବାରା ଦିଆଯାଉଥିବା ୧୦ହଜାର ଟଙ୍କାର ବନ୍ୟା ରିଲିଫ ଟଙ୍କା ନେବାକୁ ପହଞ୍ଚିଥିବା ୫୬ବର୍ଷ ବୟସ୍କା ମହିଳା ଲାଇନରେ ଛିଡ଼ା ହୋଇଥିବାବେଳେ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଛି। ୧୦ହଜାର ଟଙ୍କା ବନ୍ୟା ରିଲିଫ ପାଇବା ପାଇଁ ମହିଳା ମି ସେବା କେନ୍ଦ୍ରରେ ରେଜିଷ୍ଟେସନ କରିବା ପାଇଁ ପହଞ୍ଚିଥିଲେ। ଲମ୍ବା ଲାଇନରେ ଛିଡ଼ା ହୋଇଥିବାବେଳେ ମହିଳାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା।

ହାଇଦ୍ରାବାଦରେ କିଛି ଦିନ ତଳେ ବନ୍ୟା ହୋଇଥିଲା। ଅନେକ ଲୋକେ ତାଙ୍କ ବେଉସା ହରାଇଥିଲେ। ଲୋକଙ୍କୁ ରିଲିଫ ଦେବା ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସରକାରଙ୍କ ତରଫରୁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ୧୦ହଜାର ଟଙ୍କାର ଅନୁକମ୍ପା ଦେବାକୁ ଘୋଷଣା କରିଥିଲେ। ଏହି ବନ୍ୟା ରିଲିଫ ଟଙ୍କାକୁ ପାଇବା ପାଇଁ ମି ସେବା କେନ୍ଦ୍ରରେ ପଞ୍ଜୀକରଣ ଆରମ୍ଭ ହୋଇ ଯାଇଛି।

କୁହାଯାଉଛି ଯେ ହାଇଦ୍ରାବାଦର ଗୋଲକୁଣ୍ଡା ଥାନା ଅଞ୍ଚଳରେ ଥିବା ଏକ ମି ସେବା କେନ୍ଦ୍ରରେ ୫୬ବର୍ଷ ବୟସ୍କା ମହିଳା ପଞ୍ଜୀକରଣ କରିବା ପାଇଁ ଆସିଥିଲେ। ସେ ଲାଇନରେ ଛିଡ଼ା ହୋଇ ନିଜ ପାଳି ଆସିବାର ଅପେକ୍ଷା କରିଥିଲେ,ସେତେବେଳେ ହଠାତ୍ ବେହୋଶ ହୋଇ ପଡ଼ିଯାଇଥିଲେ। ଲୋକେ କ’ଣ ହୋଇଛି ଦେଖିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସୂଚନା ପାଇ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୋଲିସ୍ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.