Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଏଡସ୍’ ଭାଙ୍ଗିଲା ଜାତି ଧର୍ମର ବାଡ, ସମସ୍ତ ବାଧା ବନ୍ଧନ ଭାଙ୍ଗି ବିବାହ ବନ୍ଧନରେ ଆବଦ୍ଧ ହେବେ ୫୬ ଯୋଡା ଦମ୍ପତ୍ତି

ଆଗରା ୧।୧୨:  ଆମେ ଆଜିବି ଜାତି, ଧର୍ମ ଓ ବର୍ଣ୍ଣ ଭେଦଭାବରୁ ମୁକ୍ତ ହୋଇପାରିନେ। ହେଲେ ‘ଏଡସ୍’ ଭାଙ୍ଗି ଦେଇଛି ସବୁ ବାଧା ଓ ପ୍ରତିବନ୍ଧକ। ରବିବାର ବିଶ୍ୱଏଡସ୍ ଦିବସ ଅବସରରେ ସମସ୍ତ ବାଧାବିଘ୍ନକୁ ଏଡାଇ ୫୬ ଯୋଡା ଦମ୍ପତ୍ତି ବିବାହ ବନ୍ଦନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନବ ଦମ୍ପତ୍ତିମାନଙ୍କର ଘର ସଂସାର କରିବାର ଦାୟିତ୍ୱ ଆଗରା ପିପୁଲସ ୱେଲଫେୟାର ସୋସାଇଟି ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଯୋଡା ଚଳିତ ମାସରେ ବିବାହ କରିବେ ବୋଲି ଜଣାପଡିଛି।

କେସ୍ ଷ୍ଟଡି -୧
ମଲପୁରା ନିବାସୀ ଜନୈକା ଯୁବତୀ ଏଡସ୍ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ପରିବାରକୁ ସୂଚିତ କରିଥିଲେ। ଏଡସ୍ କଥା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ହେଲେ ଯୁବତୀ ହାର ମାନିନଥିଲେ। ସେ ସଂସ୍ଥାରେ ତାଙ୍କର ନାମ ପଞ୍ଜିକରଣ କରାଇବା ସହ ପାଠପଢାପଢି ଜାରି ରଖିଥିଲେ। ଚଳିତମାସରେ ସେ ବିବାହ କରିବେ। ସେ ମନୋନୀତ କରିଥିବା ବ୍ୟକ୍ତିଙ୍କର ଦିଲ୍ଲୀରେ ବ୍ୟବସାୟ ରହିଛି। ହେଲେ ସେ ଭିନ୍ନ ଜାତିର ହୋଇଥିବାରୁ ଝିଅଙ୍କ ପରିବାରପକ୍ଷ ପ୍ରଥମେ ଅରାଜି ଥିଲେ। ତେବେ ସଂସ୍ଥା କାଉନସେଲିଂ କରିବା ପରେ ପରିବାର ଲୋକେ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି।

କେସ୍ ଷ୍ଟଡି-୨
ସୈୟାଂ ନିବାସୀ ଏକ ଦମ୍ପତ୍ତି ଗତ ୭ ବର୍ଷ ହେଲା ସୁଖଦ ପାରିବାରିକ ଜୀବନ ନିର୍ବାହ କରୁଛନ୍ତି। ସେମାନେ ଗାଈ ଖୀର ବିକି ଜୀବିକା ନିର୍ବାହ କରୁଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଡାକ୍ତରୀ ପରୀକ୍ଷା ବେଳେ ସେମନେ ଏଚଆଇଭି ପଜେଟିଭ ଥିବା ଜଣାପଡିଥିଲା। ରିପୋର୍ଟ ମିଳିବା ପରେ ସେମାନଙ୍କ ଜୀବନ ନିଶେଷ ହୋଇଗଲା ବୋଲି ଭାବିଥିଲେ। ତେବେ ପତ୍ନୀ ସଂସ୍ଥା ସହ ସମ୍ପର୍କ ସ୍ଥାପନା କରିଥିଲେ। ପରେ ସନ୍ତାନ ସୁଖ ଲାଗି ସେମାନେ ଚିକିତ୍ସକୀୟ ଦେଖରେଖରେ ପିତାମାତା ହୋଇଥିଲେ। ସେମାନଙ୍କର ୨ଟି ସନ୍ତାନ ଅଛନ୍ତି ଓ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ।

ଆଗରା ପ୍ୟୁପିଲ ୱେଲଫେୟାର ସୋସାଇଟିରେ ଆଗ୍ରା ଓ ଅଲିଗଡ   ମଣ୍ଡଳର ୪ ହଜାର ୯୮୬ ଜଣ ଆକ୍ରାନ୍ତ ନାମ ପଞ୍ଜିକରଣ କରିଛନ୍ତି। ଏଥିରେ ସଦସ୍ୟମାନେ ଜାତି,ଧର୍ମ ଭେଦ ଭୁଲି ନିଜନିଜର ଘର ସଂସାର ମଧ୍ୟ କରୁଛନ୍ତି। ସେମାନଙ୍କୁ ଆତ୍ମ ନିର୍ଭର କରିବା ଲାଗି ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ ସହିତ ବୃତ୍ତି ମଧ୍ୟ ଯୋଗାଇ ଦିଆଯାଉଛି।

595 Views

   ସମ୍ବନ୍ଧିତ ଖବର