୮ଟି ରାଜ୍ୟର ୫୯ଟି ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୫୪ ପ୍ରତିଶତ ମତଦାନ, ହିଂସା ସତ୍ତ୍ବେ ପଶ୍ଚିମବଙ୍ଗରେ ସର୍ବାଧିକ ୬୮ପ୍ରତିଶତ

Published By : Prameya-News7 Bureau | May 19, 2019 IST

ନୂଆଦିଲ୍ଲୀ ୧୯|୫: ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ଅପରାହ୍ନ ୫ଟା ସୁଦ୍ଧା ପାଖାପାଖି ୫୪ପ୍ରତିଶତ ମତଦାନ ହୋଇଛି । ସୂଚନାଯୋଗ୍ୟ ଯେ, ଆଜି ୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି । ଏହି ୫୯ଟି ଆସନରେ ୯୧୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ତଥାପି ଏଠାରେ ଅପରାହ୍ନ ୫ଟା ସୁଦ୍ଧା ସର୍ବାଧିକ ୬୮ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଛି ।

ଝାଡଖଣ୍ଡରେ ମଧ୍ୟ ମତଦାନ ହାର ୬୬ପ୍ରତିଶତ ରହିଥିବାବେଳେ ମଧ୍ୟପ୍ରଦେଶରେ ୬୨ପ୍ରତିଶତ ମତଦାନ ହୋଇଛି । ସେହିଭଳି ବିହାରରେ ୫୧ ପ୍ରତିଶତ, ହିମାଚଳ ପ୍ରଦେଶରେ ୫୮ପ୍ରତିଶତ, ପଞ୍ଜାବରେ ୫୪ ପ୍ରତିଶତ, ଉତ୍ତରପ୍ରଦେଶରେ ୪୯ ପ୍ରତିଶତ ଓ ଚଣ୍ଡିଗଡରେ ୫୧ପ୍ରତିଶତ ମତଦାନ ହୋଇଛି ।

ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଅନୁରାଗ ଠାକୁର, ଭୋଜପୁରୀ ଅଭିନେତା ରବି କିଷନ, ସନ୍ନି ଦେଓଲ, ସୁଖବୀର ବାଦଲ, ସିବୁ ସୋରେନ ଆଦି ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ଏହି ପର୍ଯ୍ୟାୟରେ ବିହାରର ୮ଟି ଝାଡଖଣ୍ଡର ୩ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତରପ୍ରଦେଶର ୧୩ଟି,  ପଶ୍ଚିମବଙ୍ଗର ୯ଟି, ହିମାଚଳ ପ୍ରଦେଶର ୪ଟି, ପଞ୍ଜାବର ୧୩ଟି ଏବଂ ଚଣ୍ଡିଗଡର ଗୋଟିଏ ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ୨୩ତାରିଖରେ ଦେଶର ୫୪୩ଟି ଲୋକସଭା ଆସନ ମଧ୍ୟରୁ ୫୪୨ ଆସନର ଭୋଟ୍ ଗଣତି ହେବ ।

ଉଲ୍ଲେଖଯୋଗ୍ୟ ଯେ, ଆଜି ଅନୁଷ୍ଠିତ ହୋଇଥିବା ୫୯ଟି ଲୋକସଭା ଆସନ ମଧ୍ୟରୁ ୨୦୧୪ ମସିହା ନିର୍ବାଚନରେ ଏନଡିଏ ୪୦ଟି ଆସନ ଅକ୍ତିଆର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.