କୋଭିଡ-୧୯ କବଳରେ ସ୍ୱାସ୍ଥ୍ୟକର୍ମୀ: କରୋନା ସହ ଲଢି ଜୀବନ ହାରିଲେ, ଇଟାଲୀରେ ୫୧ ଡାକ୍ତର ମୃତ
29/03/2020 at 12:57 PM

ରୋମ, ୨୯|୦୩: କରୋନା ଭାଇରସରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଇଟାଲୀରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଛି । ଏହି ମାରାତ୍ମକ ଭାଇରସ ଅନେକ ଡାକ୍ତରଙ୍କ ଜୀବନ ମଧ୍ୟ ନେଇଛି । ଅନେକ ଡାକ୍ତର କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେସୁଦ୍ଧା ଇଟାଲୀରେ ୫୧ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ସ୍ପେନରେ ମଧ୍ୟ ଗତ ୪୮ ଘଣ୍ଟା ମଧ୍ୟରେ ୧୫୦୬ଜଣ ପ୍ରାଣ ହରାଇଛନ୍ତି । ଇରାନରେ ମଧ୍ୟ ଭାଇରସର ପ୍ରକୋପ ଜାରି ରହିଛି । ଏଠାରେ ମୃତ୍ୟୁସଂଖ୍ୟା ୨୫୦୦ ଟପିଛି ।

ଇଟାଲୀରେ ମୃତ୍ୟୁବରଣ କରିଥିବା ସମସ୍ତ ଡାକ୍ତର କରେନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ । ପରେ ସେମାନେ କରୋନା ପଜିଟିଭ୍ ଥିବା ଟେଷ୍ଟ୍ ରିପୋର୍ଟ ଆସିଥିଲା । ଦେଶର ଡାକ୍ତର ୟୁନିଅନର ସଭାପତି ଏହି ବିପଦକୁ ଦେଖି ଅଧିକ ସୁରକ୍ଷା ଉପକରଣର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ କହିଛନ୍ତି ।
ଶନିବାର ଇଟାଲୀରେ ୮୮୯ ଲୋକ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଥିଲା । ସ୍ପେନରେ ମଧ୍ୟ ୫୮୧୨ଜଣ ପ୍ରାଣ ହରାଇଛନ୍ତି ।
ଆମେରିକାର ଡାକ୍ତର ଓ ନର୍ସମାନେ ମଧ୍ୟ କରୋନା ମୁକାବିଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେମାନେ ସରକାରଙ୍କଠାରୁ ଅଧିକ ସୁରକ୍ଷା ଉପକରଣ ମାଗିଛନ୍ତି ।